ବ୍ରହ୍ମପୁର: ଛତିଶଗଡ଼ର ରାୟପୁର ଠାରେ ଆୟୋଜିତ ହେବାକୁ ଥିବା ରୋଲର ସ୍କେଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବ୍ରହ୍ମପୁରର ସ୍କେଟରଙ୍କ ଏକ ଟିମ ଛତିଶଗଡ଼ ଯାତ୍ରା କରିଛନ୍ତି । ଚଳିତ ମାସ 12 ତାରିଖ ଠାରୁ 14 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ ହେବ। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଫାର୍ ଇଷ୍ଟ ଜୋନ ପାଇଁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ପଶ୍ଟିମବଙ୍ଗ, ଛତିଶଗଡ, ଆସାମ, ମିଜୋରାମ ଭଳି ୧୧ ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟର ଅଂଶ ଗ୍ରହଣ କରିବେ।
ଏଥିରେ ବ୍ରହ୍ମପୁରର ବିଭିନ୍ନ ବିଦ୍ୟାଳୟର ମୋଟ ଛଅ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଥିବାବେଳେ ଏଥି ମଧ୍ୟରୁ ପାଞ୍ଚ ଜଣ ବାଳକ ଏବଂ ଜଣେ ବାଳିକା ରହିଛନ୍ତି । ବାଳିକା ବିଭାଗରେ ଅନ୍ବେଷା ବିଷୋୟୀ ଓ ବାଳକ ବିଭାଗରେ ଅନୁଭବ ପଣ୍ଡା, ପୁନିତ ଗୌଡ଼, ଆଶୁତୋଷ ପାଢ଼ୀ, ଆୟୁଷ ପଣ୍ଡା, ଦେବାଙ୍ଗ ରାଉତ ଏହି ଦଳରେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ସହରର କମାପଲ୍ଲୀଠାରେ ଥିବା ସିଲକି ରୋଲର ସ୍କେଟିଂ ଏକାଡେମୀରେ ଏହି ଖେଳାଳି ମାନେ ନିଜର ଅଭ୍ୟାସ ଜାରି ରଖିଥିଲେ।
ପ୍ରତିବର୍ଷ ସିବିଏସଇ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଖେଳାଳି ମାନେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଉଥିବା ବେଳେ ଏଥର ମଧ୍ୟ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇବେ ବୋଲି ଉଭୟ ଖେଳାଳି ଓ ଏକାଡେମୀ ପକ୍ଷରୁ କୁହାଯାଇଛି । ଏହି ଜୋନ ସ୍ତରୀୟ ପ୍ରତିଯୋଗୀତାରେ କୃତି ସ୍କେଟରଙ୍କୁ ଆସନ୍ତା ମାସରେ କର୍ଣ୍ଣାଟକର ବେଲଗାଁଓ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ସ୍କେଟିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ମିଳିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ