ବ୍ରହ୍ମପୁର: ସ୍ବାସ୍ଥ୍ୟ ହି ସମ୍ପଦ । ସୁନ୍ଦର ଓ ସୁସ୍ଥ ସ୍ବାସ୍ଥ୍ୟ କାହାକୁ ବା ଭଲ ନ ଲାଗେ । ଏକ ନିରାମୟ ସୁସ୍ଥ ଜୀବନଯାପନ ପାଇଁ ଫିଟ ଆଉ ଫାଇନ ରହିବାକୁ ସମସ୍ତେ ଚାହାଁନ୍ତି । ସେଥିପାଇଁ ପ୍ରତିଦିନ ବ୍ୟାୟାମ କରିଥାନ୍ତି ତ କେହି କେହି ଜିମ୍ ଯାଇଥାନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ 72 ବର୍ଷ ବୟସରେ ଜଣେ ବ୍ୟକ୍ତି ନିଜକୁ ଏକଦମ ଫିଟ ରଖିଛନ୍ତି । ଖାଲି ଫିଟ ନୁହେଁ ଜିମରେ ଭଳିକି ଭଳି ବ୍ୟାୟାମ ମଧ୍ୟ କରୁଛନ୍ତି । ଆମେ କହୁଛୁ ବ୍ରହ୍ମପୁରର ଦଣ୍ଡପାଣି ସାହୁଙ୍କ କଥା ଯିଏକି ଜିଲ୍ଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ବାଜିମାତ କରିବା ପରେ ରାଜ୍ୟସ୍ତରୀୟ ସଫଳତା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ବ୍ରହ୍ମପୁର ସହରର ଜୟବୀର ହନୁମାନ କ୍ଲବରେ ଅଭ୍ୟାସ କରି ଆସୁଛନ୍ତି ଦଣ୍ଡପାଣି ସାହୁ । ପ୍ରତିଦିନ 2ଘଣ୍ଟା ବ୍ୟାୟାମ କରୁଛନ୍ତି ସେ । ବୟସ ୭୨ ଛୁଇଁଲାଣି । ହେଲେ ସେ ଥକିନାହାନ୍ତି କି ପଛକୁ ଫେରି ଚାହିଁନାହାନ୍ତି । ଯେଉଁ ବୟସରେ ବିଶ୍ରାମ ନେବା କଥା ତାହାକୁ ପଛରେ ପକାଇ ନିୟମିତ ଭାବରେ ଜାରି ରଖିଛନ୍ତି ଶାରୀରିକ ବ୍ୟାୟାମ । ଦଣ୍ଡପାଣି ୧୭ ବର୍ଷ ବୟସରେ ଥରେ ସର୍କସ ଦେଖିବାକୁ ଯାଇଥିଲେ । ଆଉ ସେଠାରେ ଜଣେ ବଡି ବିଲଡର ଆସି ଲୋକଙ୍କୁ ନିଜର ସୁନ୍ଦର ସ୍ୱାସ୍ଥ ଦେଖାଉଥିବା ବେଳେ ସେ ତାହାକୁ ଦେଖି ନିଜ ଶରୀରକୁ ମଧ୍ୟ ସୁନ୍ଦର ସ୍ୱାସ୍ଥ ପ୍ରତିଯୋଗିତାରେ ସାମିଲ କରାଇବା ପାଇଁ ମନ ବଳାଇଥିଲେ । ବାସ୍ ତାପରଠୁ ଆରମ୍ଭ ହୋଇଥିଲା ଅଭ୍ୟାସ । ସକାଳ ନିତ୍ୟକର୍ମ ଶେଷ କରି ଆସି ପହଞ୍ଚି ଯାଇଥାନ୍ତି ବ୍ରହ୍ମପୁର ସହରର ଜୟବୀର ହନୁମାନ କ୍ଲବରେ । ଆରମ୍ଭ କରିଥାନ୍ତି ବ୍ୟାୟାମ । ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦେଢରୁ ଦୁଇ ଘଣ୍ଟା ଧରି ଗୋଟିଏ ପରେ ଗୋଟିଏ କରିଥାନ୍ତି ଶାରୀରିକ କସରତ । ଗୋଟିଏ ପଟେ ଅଭ୍ୟାସ ଏବଂ ଡାଏଟ୍ ସହିତ ବିଶ୍ରାମ ନେଲେ ଶାରୀରିକ ଗଠନ ହୋଇପାରିବ ଏବଂ ଏଥିପାଇଁ ବୟସର କୌଣସି ଆବଶ୍ୟକତା ନଥିବା କୁହନ୍ତି ଦଣ୍ଡପାଣି । ପରିବାର ଲୋକଙ୍କ ଯଥେଷ୍ଟ ସମର୍ଥନରେ ଏହା ସମ୍ଭବ ହୋଇଥିବା କହିଛନ୍ତି ସେ ।
ଦଣ୍ଡପାଣିଙ୍କ ଏହି ପ୍ରୟାସ ପାଇଁ ତାଙ୍କୁ ସଫଳତା ମଧ୍ୟ ମିଳିଛି । ଗଞ୍ଜାମ ଜିଲ୍ଲାରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ । ବ୍ରହ୍ମପୁର ସହରରେ ଜଣେ ଜଣାଶୁଣା ଫିଜିଓଥୋରାପି ତାଲିମଦାତା ଭାବରେ ପରିଚିତ ଦଣ୍ଡପାଣି । ନିଜର ଶାରୀରିକ ବ୍ୟାୟମ ପରେ ଏକ ଘରୋଇ କ୍ଲିନିକରେ କାର୍ଯ୍ୟ କରିଥାନ୍ତି । ସେପଟେ ବୟସର ଅପରାହ୍ନରେ ଦଣ୍ଡପାଣିଙ୍କ ଏ ଅଭ୍ୟାସ କ୍ଲବର ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି କ୍ଲବ ସଦସ୍ୟ ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ