ବ୍ରହ୍ମପୁର: ସହରରେ ଦୁଇ ବର୍ଷର ଶିଶୁପୁତ୍ରକୁ ଅପହରଣ କରି ନେଇ ୩୦ ହଜାର ଟଙ୍କାରେ ବିକ୍ରି କରିବା ଘଟଣା । ବ୍ରହ୍ମପୁରର ଗୋଷାଣି ନୂଆଗାଁ ଥାନା ପୋଲିସ ପକ୍ଷରୁ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ଗତ 20 ତାରିଖ ଦିନ ବ୍ରହ୍ମପୁର ସହରରେ ଗୋଷାଣି ନୂଆଗାଁ ଥାନା ଅଞ୍ଚଳରେ ଏକ ବ୍ରିଜ ତଳେ ରହୁଥିବା ଏରଗୁଲା ବସ୍ତିର ଦୁଇ ବର୍ଷର ଶିଶୁ ପୁତ୍ରକୁ କେହି ଅପହରଣ କରି ନେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରି ଶେଷରେ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ କ୍ରୟ କରିଥିବା ଅଭିଯୋଗରେ ତିନି ଜଣଙ୍କ ସମେତ ବିକ୍ରି କରିଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଗତ 20 ତାରିଖ ସକାଳେ ସହରର ଗଜପତିନଗର ଅଞ୍ଚଳରେ ରହୁଥିବା ପ୍ରଫୁଲ୍ଲ ନାୟକଙ୍କ ସହ ଶିବ ନାୟକ ମିଳିତ ଭାବରେ ଏରଗୁଲା ବସ୍ତିରୁ ଶିଶୁ ପୁତ୍ରକୁ ଉଠାଇ ନେବା ପରେ ସହରର ପାଏଲ ହଲ ହରିଜନ ବସ୍ତିରେ ରହୁଥିବା ସନ୍ତୋଷ ଓରଫ ବାବୁଲା ରଣାଙ୍କୁ ଶିଶୁଟିକୁ ପ୍ରଦାନ କରିଥିଲେ । ସନ୍ତୋଷ ଏହି ଶିଶୁଟିକୁ ନେଇ ନିଜର ଜ୍ବାଇଁ ବୃନ୍ଦାବନ ରଣାଙ୍କୁ ପ୍ରଦାନ କରିବା ସହ 30 ହଜାର ଟଙ୍କା ଆଣି ଶିଶୁଟିକୁ ଅପରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରିଥିଲେ । ଏହି ଘଟଣାରେ ଶିଶୁକୁ ଉଠାଇ ନେଇଥିବା ପ୍ରଫୁଲ୍ଲ ଏବଂ ଶିବ ନାୟକଙ୍କ ସମେତ ଶିଶୁଟିକୁ କ୍ରୟ କରିଥିବା ସନ୍ତୋଷ ଓ ବୃନ୍ଦାବନ ଏବଂ ଦୁଇ ମହିଳା ମମତା ନାୟକ ସହ ବୈଜୟନ୍ତୀ ରଣାଙ୍କୁ ଗିରଫ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ, ବୃନ୍ଦାବନ ରଣାଙ୍କର ବିବାହର ବହୁ ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ନଥିବାରୁ ସେ କୌଣସି ଶିଶୁକୁ ରଖିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଏନେଇ ପ୍ରଫୁଲ୍ଲ ନାୟକଙ୍କୁ ଅବଗତ କରାଇଥିଲେ । ସେପଟେ ଉଦ୍ଧାର ଶିଶୁପୁତ୍ରକୁ ତାର ଜନ୍ମିତ ମାଆକୁ ହସ୍ତାନ୍ତର କରିଛି ପୋଲିସ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ