ବ୍ରହ୍ମପୁର: ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏନେଇ ଦେଶବାସୀଙ୍କ ମଧ୍ୟରେ ରହିଛି ଅନେକ ଉତ୍କଣ୍ଠା ଓ ଉତ୍ସାହ । ତେବେ ବୁଧବାର ସାରା ଦେଶରେ ପାଳିତ ହେଉଛି ପବିତ୍ର ରାମନବମୀ । କୋଭିଡ କଟକଣାରେ ମର୍ଯ୍ୟାଦା ପୁରୁଷତ୍ତୋମଙ୍କ ଜନ୍ମଉତ୍ସବ ପାଳନ କରାଯାଉଛି । ଅନ୍ୟପଟେ ପ୍ରଭୁ ରାମଙ୍କ ଜନ୍ମ ଦିନରେ ବ୍ରହ୍ମପୁରର ଏକ ଯୁବଶିଳ୍ପୀ ଦିଲ୍ଲୀପ ମହାରଣା ନିର୍ମାଣ କରିଛନ୍ତି 3 ଇଞ୍ଚିର ରାମ ମନ୍ଦିର ।
ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଭବ୍ୟ ରାମ ମନ୍ଦିରର ଏକଦମ ଅବିକଳ । ସେହି ଅପୂର୍ବ କାରୁକାର୍ଯ୍ୟ, କଳାକୃତି ତାଙ୍କ ମନ୍ଦିରରେ ପ୍ରତୀୟମାନ ହେଉଛି । କାଠ ତିଆରି ମନ୍ଦିରର ଉଚ୍ଚତା ମାତ୍ର 3 ଇଞ୍ଚ । ଏହାର ଓସାର ମଧ୍ୟ 3 ଇଞ୍ଚ ଓ ଲମ୍ବା 5 ଇଞ୍ଚ ରହିଛି । ହାତ ପାପୁଲରେ ରହିଯାଉଥିବା ଏହି ମନ୍ଦିରରେ ଖଞ୍ଜା ହୋଇଛି 84 ଟି ଖମ୍ବ । ଏଥିରେ ରହିଛି ମୁଖ୍ୟ ମନ୍ଦିର ବେଢା, ପାର୍ଶ୍ବ ମନ୍ଦିର ସହ ରହିଛି ଚାରୋଟି ଗମ୍ବୁଜ । ଅତି ସୂକ୍ଷ୍ମକାରଗରୀର ଭବ୍ୟ ରାମ ମନ୍ଦିରର ପ୍ରସ୍ତୁତ କରିଛନ୍ତି ଦିଲ୍ଲୀପ। ତେବେ ପବିତ୍ର ରାମନବମୀ ଉପଲକ୍ଷେ ସେ ରାମ ମନ୍ଦିରର କାଠ ମଡେଲ ନିର୍ମାଣ କରିଛନ୍ତି । ଏହାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦେବାକୁ ଇଚ୍ଛା ରଖିଛନ୍ତି ।
ଏହି ରାମ ମନ୍ଦିର ନିର୍ମାଣ କରିବାକୁ ତାଙ୍କୁ 7 ଦିନ ସମୟ ଲାଗିଥିଲା। ଏଥିପାଇଁ ସେ ଗୁଗୁଲର ସହାୟତା ନେଇଥିଲେ । ପୂର୍ବରୁ ଶାରଦୀୟ ପୂଜାରେ ମା’ ଦୁର୍ଗାଙ୍କ 1 ଇଞ୍ଚର କାଠ ପ୍ରତିମା ପ୍ରସ୍ତୁତ କରି ଇଣ୍ଡିଆ ବୁକ ଏବଂ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । 1 ଇଞ୍ଚର ରଥ, ଜଗନ୍ନାଥ ମନ୍ଦିର, ବୁଢୀ ଠାକୁରାଣୀ ମନ୍ଦିର ମଧ୍ୟ ନିଖୁଣ ଭାବେ ସେ ତିଆରି କରିଛନ୍ତି ।
ଦିଲ୍ଲୀପ ଯୁକ୍ତ 3 ପ୍ରଥମ ବର୍ଷର ବାଣିଜ୍ୟ ଛାତ୍ର। ପାଠପଢା ସାଙ୍ଗକୁ ସେ ସୂକ୍ଷ୍ମ କାରୁକାର୍ଯ୍ୟ କରନ୍ତି । ଆଉ ଆଗାମୀ ଦିନରେ ଗିନିଜ ବୁକ ରେକର୍ଡ ହାତେଇବାକୁ ଇଚ୍ଛା ରଖିଛନ୍ତି ଦିଲ୍ଲୀପ । ତେବେ ଦିଲ୍ଲୀପଙ୍କ ଏହି ସ୍ବପ୍ନକୁ ବାପା ଓ ଭାଇ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଛନ୍ତି ।
ବ୍ରହ୍ମପୁରର ସମୀର ଆଚାର୍ଯ୍ୟ, ଇଟିଭି ଭାରତ