ବ୍ରହ୍ମପୁର: ଗାଈ ପେଟରୁ ବାହାରିଲା 15 କେଜି ପଲିଥିନ । ବ୍ରହ୍ମପୁରରେ ଏକ ଗାଈ ପେଟରୁ ଅସ୍ତ୍ରୋପଚାର କରି 15 କିଗ୍ରା ଓଜନର ପଲିଥିନ ବାହାର କରାଯାଇଛି । ରାସ୍ତା କଡ଼ରେ ଗାଈଟି ଅସୁସ୍ଥ ହୋଇ ଯନ୍ତ୍ରଣା ପାଉଥିବାବେଳେ ଚିକିତ୍ସା ସାହାଯ୍ୟରେ ତାର ଅସ୍ତ୍ରୋପଚାର କରାଯାଇଥିଲା।
ବ୍ରହ୍ମପୁର ସହରର କୋର୍ଟପେଟା ଛକ ନିକଟସ୍ଥ ବିଦ୍ୟାନଗର ମୁଖ୍ୟ ରାସ୍ତାରେ ଗାଈଟି ଗୁରୁତର ଅବସ୍ଥାରେ ଯନ୍ତ୍ରଣା ପାଉଥିଲା । ଖବର ପାଇ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ସ୍ଥାନୀୟ ପଶୁ ଚିକିତ୍ସାଳୟ ସହ ଯୋଗାଯୋଗ କରିଥିଲେ । ତୁରନ୍ତ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାଈକୁ ଉଦ୍ଧାର କରିବା ସହ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପେଟର ଅସ୍ତ୍ରୋପଚାର କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି ୧୫ କିଲୋ ଓଜନର ପଲିଥିନ ଗୁଡ଼ାଇ ହୋଇ ଗୁଳା ଆକୃତିର ବାହାରିଥିଲା । ଯାହାକୁ ଦେଖି ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସମେତ ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସରକାର ଏପରି ଘଟଣାକୁ ଏଡାଇବା ପାଇଁ ପଲିଥିନ ନିଷିଦ୍ଧ ଘୋଷଣା କରିଥିଲେ । ନିଷିଦ୍ଧ ହେବା ପରଠାରୁ କିଛି ଦିନ ପଲିଥିନ ବ୍ୟବହାର କରୁଥିବା ଦୋକାନୀଙ୍କ ଉପରେ ଚଢ଼ାଉ କରି ଦୋକାନକୁ ସିଲ କରିବା ସହ ଜୋରିମାନା ଆଦାୟ ହୋଇଥିଲେ ମଧ୍ୟ ଜନସାଧରଣଙ୍କ ସଚେତନତା ଅଭାବ ଯୋଗୁଁ ପୁଣି ବ୍ୟାପକ ଭାବେ ପଲିଥିନ ଜରିର ବ୍ୟବହାର ହେଉଛି । ଖାଦ୍ୟ ଲୋଭରେ ଗୃହପାଳିତ ପଶୁ ମାନେ ଏହାକୁ ଖାଇଦେଉଥିବାରୁ ଏପରି ଘଟୁଥିବା ଜଣାଯାଇଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ