ବ୍ରହ୍ମପୁର: ତହସିଲଦାର ମନମୁଖି ଓ ଜନବିରୋଧି କାର୍ଯ୍ୟକୁ ନେଇ ୧୨ ଘଣ୍ଟିଆ ଗଞ୍ଜାମ ବନ୍ଦ କରାଯାଇଛି । ସରକାରଙ୍କ ଜନହିତକର କାର୍ଯ୍ୟ ବଦଳରେ ତହସିଲଦାର ଜନବିରୋଧି କାର୍ଯ୍ୟ ନେଇ ଏଭଳି ବନ୍ଦ ଡାକରା ଦିଆଯାଇଥିଲା । ଲୋକଙ୍କୁ ତହସିଲର ସୁବିଧା ଯୋଗାଇବା ପରିବର୍ତ୍ତେ ଲୋକଙ୍କ ସହ ବିନା କାରଣରେ ମାରପିଟ କରୁଛନ୍ତି ବୋଲି ଅଭିଯୋଗ ଆସିଥିଲା ।
କେବଳ ଏତିକି ନୁହେଁ ବରଂ ତହସିଲଦାରଙ୍କ ଅନେକ ଅମାନବୀୟ କାର୍ଯ୍ୟକୁ ନେଇ ନୟାନ୍ତ ହୋଇପଡିଥିବା ଗଞ୍ଜାମ ସହର ବାସିନ୍ଦା ଏଭଳି ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଭଳି କିଛି ଅଭିଯୋଗ ଆସିବା ପରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକଙ୍କ ବିରୋଧରେ ଏଭଳି ଆନ୍ଦୋଳନକୁ କରାଯାଇଥିଲା ।
ଯେଉଁଥିରେ ଗଞ୍ଜାମ ବ୍ଲକ ଓ ଏନଏସି ବାସିନ୍ଦା ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ କରି ଏଭଳି ପ୍ରତିବାଦକୁ ସମର୍ଥନ କରିଥିଲେ । ଦିନ ତମାମ ଦୋକାନ ବଜାରକୁ ବନ୍ଦ ରଖିବା ସହ ଗଞ୍ଜାମ ବାସିନ୍ଦା ମାନେ ଏକ ଡାକବାଜି ଯନ୍ତ୍ର ମାଧ୍ୟମରେ ତହସିଲଦାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିଥିଲେ । ଏହାପରେ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ ।
କେତେବେଳେ ବିନା କାରଣରେ ବ୍ୟବସାୟୀଙ୍କୁ ମାରପିଟ କରିବା, ବିନା କାରଣରେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଉଠବସ କରିବା, ଉଚ୍ଛେଦ କରିବାକୁ ଯାଇ ଆଇନଜୀବୀଙ୍କ ସହ ଗଣ୍ଡଗୋଳ କରିବା ଭଳି ଅନେକ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗକୁ ନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଥିଲେ ଗଞ୍ଜାମ ବାସିନ୍ଦା ।
ଇଟିଭି ଭାରତ, ବ୍ରହ୍ମପୁର