ବାରିପଦା : ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟର ନାମ ପରିବର୍ତ୍ତନ କରି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ନାମକରଣ ପ୍ରସ୍ତାବ ଗୃହୀତ ପରେ ଏହାକୁ ବିରୋଧ କରିଛି ଦଳିତ ଆଦିବାସୀ ମହାସଂଘ । ସଂଘ ପକ୍ଷରୁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ଓଡିଶା ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ଜିଲ୍ଲା ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ତେବେ ରାଜ୍ୟ ସରକାର ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ନାମକୁ ମୟୂରଭଞ୍ଜ ପୂର୍ବତନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଏହାକୁ ତୀବ୍ର ବିରୋଧ କରିଛି ଦଳିତ ଆଦିବାସୀ ମହାସଂଘ । ଆଦିବାସୀ ଦଳିତ ମହାସଂଘ ପକ୍ଷରୁ ମଙ୍ଗଳବାର ବାରିପଦା ସଦର ଥାନା ଅନ୍ତର୍ଗତ ପୋଡା ଅସ୍ତିଆ ଛକ ଠାରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାଁ ପରିବର୍ତ୍ତେ ମୁଣ୍ଡାରୀ ଲେଖକ ଅଲଗୁରୁ ରୋହିଦାସ ସିଂ ନାଗଙ୍କ ନାମରେ ନାମିତ କରାଯାଉ ବୋଲି ଦାବି କରାଯାଇଛି ।
ଆଦିବାସୀ ସଂଘର ସଦସ୍ୟମାନେ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମକୁ ମୟୂରଭଞ୍ଜ ଜିଲ୍ଲାରେ ସୀମିତ ନରଖି ଉତ୍କଳ ବିଶ୍ଵ ବିଦ୍ୟାଳୟ ନାମକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟ ନାମକରଣ କରାଯାଉ ବୋଲି ଦାବି କରିଛି ଆଦିବାସୀ ଦଳିତ ଆଦିବାସୀ ମହାସଂଘ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ