ବାଲେଶ୍ଵର: ସହରର ସହଦେବଖୁଣ୍ଟା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମହିଳାଙ୍କ ଭିତରେ ଲଢେଇ ଚାଲିଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଘର ମାଲିକଙ୍କୁ ଦୋକାନ ଭଡା ନଦେବାକୁ କେନ୍ଦ୍ରକରି ଏମିତି ପରିସ୍ଥିତି ଉପୁଜିଥିବା ଜଣାପଡିଛି । ଦୋକାନ ଘର ମାଲିକଙ୍କ ଠାରୁ ଭଡା ସୂତ୍ରରେ ନେଇ ବାରବାଟୀ ଅଞ୍ଚଳର ଜଣେ ଯୁବକ ଏକ ଷ୍ଟୁଡିଓ କରିଥିଲେ । ଦୋକାନ ଗୃହର ଚୁକ୍ତିନାମା ସରିଯାଇଥିବା ବେଳେ ନୂତନ ଚୁକ୍ତିନାମା ପାଇଁ ଦୋକାନ ଘର ମାଲିକ ଭଡାଟିଆଙ୍କୁ କହିଥିଲେ ।
ମାତ୍ର ଭଡାଟିଆ ଏହାକୁ ଏଡାଇ ଚାଲିଥିଲେ । ଏହାକୁ ନେଇ ଆଜି ଦୋକାନ ଘର ମାଲିକ ଷ୍ଟୁଡିଓ ତାଲା ଭାଙ୍ଗି ଦୋକାନୀଙ୍କ ଜିନିଷ ପତ୍ର ବାହାରେ ଫିଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ମାରପିଟର ରୂପ ନେଇଥିଲା । ବଜାର ଉପରେ ଉଭୟ ପକ୍ଷଙ୍କ ମହିଳାଙ୍କ ଭିତରେ ଚୁଟି ଘୋଷଡା ଘୋଷଡି ହୋଇ ମାରପିଟ ହୋଇଥିବା ଦେଖିବାକୁ ମିଳିଥିଲା ।
ଏହି ମାରପିଟର ଭିଡିଓ ଏବେ ସୋସିଆଲ ମିଡ଼ିଆର ଘୁରି ବୁଲୁଛି । ପରେ ଉଭୟଙ୍କ ମଧ୍ୟରେ ଥାନାରେ ବୁଝାମଣା ହୋଇଥିବା ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ