ବାଲେଶ୍ବର : ମାଟିର ମଣିଷ । ମାଟି ସହ ପୁଣି ଜଡିତ । ସେ ହେଉଛନ୍ତି ବାଲେଶ୍ବର ସହର ନାଲମଗଞ୍ଜ ଅଞ୍ଚଳର ଅଲେଖ ସାହୁ । ଯାହା ସ୍ପର୍ଶରେ ଜୀବନ୍ତ ହୋଇଉଠେ ମାଟି ପିଣ୍ଡୁଳା । ଆଉ ରଙ୍ଗତୂଳୀରେ ସଜାଇ ତାକୁ ଦିଅନ୍ତି ନୂଆ ଏକ ସଞ୍ଜିବନୀ । ଦୀର୍ଘ 28 ବର୍ଷ ଧରି ଟେରାକୋଟା କାର୍ଯ୍ୟ କରିଆସୁଛନ୍ତି ଅଲେଖ । ତାଙ୍କର ଅପୂର୍ବ କାରୁକାର୍ଯ୍ୟ ଆଜି ଭିନ୍ନ ଏକ ପରିଚୟ ଦେଇଛି ।
ଅତ୍ୟାଧୁନିକ ଯୁଗରେ ସେ ମାଟି ସହ ପୁଣି ଥରେ ମଣିଷକୁ ଯୋଡିବାକୁ ପ୍ରୟାସ ଜାରି ରଖିଛନ୍ତି । ପ୍ଲାଷ୍ଟିକର ବହୁଳ ବ୍ୟବହାରକୁ ଦୂରେଇ ନେବାକୁ ମାଟି ସାମଗ୍ରୀ ପ୍ରତି ଲୋକଙ୍କ ନୂତନ ଏକ ଆଗ୍ରହ ସୃଷ୍ଟି କରିପାରିଛନ୍ତି । ଘରର ସଜସଜ୍ଜା ଠାରୁ ବିଭିନ୍ନ ଭଗବାନଙ୍କ ପ୍ରତିମୂର୍ତ୍ତି । ଆଉ ବର କନିଆଁ, ଫୁଲକୁଣ୍ଡ, ପେନଷ୍ଟାଣ୍ଡ ଭଳି ଆକର୍ଷଣୀୟ ସାମଗ୍ରୀ ଗ୍ରାହକଙ୍କୁ ଘଡିଏ ଅଟକାଇ ଦେଉଛି । ଆଉ ଏପରି ମନଲୋଭା କାରୁକାର୍ଯ୍ୟକୁ ସାମଗ୍ରୀ ଘରକୁ ବାଧ୍ୟ ହେଉଛନ୍ତି ଲୋକେ ।
ପ୍ରଥମେ ଅଲେଖ କୁମ୍ଭାର ଚକରେ ବିଭିନ୍ନ କାରୁକାର୍ଯ୍ୟ ତିଆରି କରୁଥିଲେ। ଏବେ ସରକାରୀ ସ୍ତରରେ ତାଙ୍କୁ ଏକ ଇଲେକ୍ଟ୍ରିକ ଚକ ମିଳିଛି । ଯାହା ତାଙ୍କ କାମକୁ ବେଶ ସହଜ କରିପାରିଛି । ପ୍ରାୟ 300 ପ୍ରକାରର ଟେରାକୋଟା ସାମଗ୍ରୀ ତିଆରି କରିଛନ୍ତି ଅଲେଖ। ସାମଗ୍ରୀ ବିକ୍ରି ପାଇଁ ଅଲେଖ ବଟେଶ୍ୱର ଛକ ନିକଟରେ ଏକ ଦୋକାନ କରିଛନ୍ତି। ଯେଉଁଠି ରହିଛି ବେଶ ଆକର୍ଷଣୀୟ ମାଟି ତିଆରି ଘର ସାଜସଜ୍ଜା ସାମଗ୍ରୀ।
ସେପଟେ, ଟେରାକୋଟା ଭଳି ପ୍ରାଚୀନ କାରୁକାର୍ଯ୍ୟକୁ ପ୍ରୋତ୍ସାହନ ଦେବାକୁ ଫାମାସ ନାମକ ଏକ ସଂସ୍ଥା ଅଣ୍ଟା ଭିଡିଛି । ଯେଉଁଠି କୁନି କୁନି ପିଲାଙ୍କୁ ଟେରାକୋଟା ସମ୍ବନ୍ଧୀୟ ଶିକ୍ଷା ଦିଆଯାଏ । ଅତ୍ୟାଧୁନିକ ଯୁଗରେ ମାଟି ସହ ପୁଣି ଥରେ ମଣିଷକୁ ଯୋଡିବାର ପ୍ରୟାସ କରୁଛନ୍ତି ଅଲେଖ ।ଯଦ୍ବାରା ପ୍ଲାଷ୍ଟିକ ଯୁଗରେ ବି ମାଟି ସାମଗ୍ରୀ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ