ବାଲେଶ୍ଵର: ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସହର ସମସ୍ୟା ବିଷୟରେ ଦାବି ଉପସ୍ଥାପନ କଲା ସ୍ୱେଚ୍ଛାସେବୀ ସଂଗଠନ ସ୍ମାଇଲ ସୋସାଇଟି । ସୋସାଇଟିର ସଦସ୍ୟମାନେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଭେଟି ଜଉ କଣ୍ଢେଇ ଉପହାର ଦେବା ସହ ସହରର ପ୍ରମୁଖ ସମସ୍ୟା ଉପସ୍ଥାପନ କରିଛନ୍ତି । ସହର ଭିତରେ ହେଉଥିବା ବେଆଇନ ପାର୍କିଂ ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣରେ ଆବେହଳା ଯୋଗୁଁ ମେଡିକାଲ ରାସ୍ତା ଓ ମେଡିକାଲ ସମ୍ମୁଖରେ ପ୍ରବଳ ଭିଡ ହେଉଛି । ଯାହାଦ୍ୱାରା ରୋଗୀମାନଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ମେଡିକାଲ ଭିତରକୁ ପଶିବାରେ ସମସ୍ୟା ଦେଖା ଦେଉଛି । ସେହିପରି ଫକୀର ମୋହନ କଲେଜ ରାସ୍ତାରେ ବେଆଇନ ପାର୍କିଂ ଯୋଗୁଁ କଲେଜ ସମୟରେ ରାସ୍ତା ଜାମ ହୋଇ ଲୋକମାନେ ଅସୁବିଧା ଭୋଗୁଛନ୍ତି ।
ବୈରାମ ନଗର ଅଞ୍ଚଳରେ ଡ୍ରେନ ବ୍ୟବସ୍ଥା ଠିକ ନଥିବାରୁ ସାମାନ୍ୟ ବର୍ଷାରେ ଅଞ୍ଚଳରେ ପାଣି ସୁଅ ରହୁଛି । ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭି ଅଚଳ ଯୋଗୁଁ ଛିନତାଇ ବୃଦ୍ଧି ପାଉଛି । ଏ ସମସ୍ତ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଦାବି ଗୁଡିକ ଉପରେ ଧ୍ୟାନ ଦେବାପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର