ବାଲେଶ୍ବର: ଝିଅର ମୃତଦେହ ରଖି ରାସ୍ତାରୋକ କଲେ ପରିବାର ଲୋକେ। ପ୍ରେମ ବିବାହ କରିଥିବା ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ଅଭିଯୋଗ କରି ଝିଅର ବାପଘର ଲୋକେ ରାସ୍ତାରୋକ କରିଛନ୍ତି। ଏହାସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଅଞ୍ଚଳରେ।
ଖନ୍ତାପଡା ଥାନା ଅଭଣା ଗ୍ରାମର ବିକାଶ ରାଉତଙ୍କ ଝିଅ ଶୁଭ୍ରତା ଗତବର୍ଷ ପାଖ ଗ୍ରାମର ବଟକୃଷ୍ଣ ମହାପାତ୍ରଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ଗତକାଲି(ଗୁରୁବାର) ତାଙ୍କର ମୃତ୍ୟୁ ଖବର ଆସିଥିଲା । ତେବେ ଶୁଭ୍ରତାଙ୍କୁ ଯୋଜନାବଦ୍ଧ ଭାବେ ଶାଶୁଘର ଲୋକ ହତ୍ୟା କରିଥିବା ଝିଅର ବାପଘର ଲୋକ ଅଭିଯୋଗ କରିଛନ୍ତି । ଏନେଇ ଖନ୍ତାପଡା ଥାନାରେ ଗୁରୁବାର ଅଭିଯୋଗ କରିଥଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବାରୁ ମୃତଦେହ ରଖି ପରିବାର ଲୋକେ ରାସ୍ତାରୋକ କରିଥିଲେ ।
ସେପଟେ ଧାରଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହାର ହୋଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ