ବାଲେଶ୍ବର: କଳାକାରଙ୍କ ମୁହଁରୁ ହସ ଛଡେଇ ନେଇଛି କୋରୋନା । ଯେଉଁ ରଙ୍ଗବୋଳା ମୁହଁକୁ ଦେଖି ଲୋକେ ହସୁଥିଲେ ଆଉ ଯାହାଙ୍କ କାନ୍ଦ ଚେହେରା ଦେଖି କାନ୍ଦି ପକାଉଥିଲେ । ଆଜି ସେହି କଳାକାର ଜୀବନରେ ଘୋର ଦୁର୍ଦ୍ଦିନ ଆଣିଦେଇଛି ମହାମାରୀ କୋରୋନା। ଝିଲମିଲ ଆଲୁଅର ମଞ୍ଚରୁ ସିଧା ରାସ୍ତା କଡକୁ ଡାଣି ଆଣିଛି ମହାମାରୀ। ଜୀବନ ଜୀବିକା ବଞ୍ଚାଇବାକୁ ସଂଘର୍ଷ କରୁଥିବା ଯାତ୍ରା କଳାକାର ଟି ଆଜି ଚା’ ବିକି ପେଟ ପୋଷୁଛି।
ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ମାମୁନି ନାୟକ । ଯାତ୍ରା କଳାକାର ଭାବେ ଅନେକ ଛୋଟବଡ ମଞ୍ଚରେ ଅଭିନୟର ଯାଦୁ ଦେଖାଇଛନ୍ତି । ମୁହଁରେ ରଙ୍ଗ ବୋଳି ହୋଇ କେତେବେଳେ ବଡ ବଡ ଡାଇଗଲ କହୁଥିଲେ ତ କେତେବେଳେ ନିଜ ଡାଇଗଲରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିଲେ । ହେଲେ ଦେଶରେ କୋରୋନା ସଂକ୍ରମଣ ଭୟ ଦେଖାଯିବା ପରେ ମାର୍ଚ୍ଚ ମାସ ଠାରୁ ଲକଡଉନ କରିଦିଆଯାଏ । ଯାହାର ପ୍ରଭାବରେ ଠପ୍ ହୋଇପଡେ ଜୀବନ-ଜୀବିକା । ଚକ-ଅଖ ସବୁ ବନ୍ଦ । ଦୋକାନ ବଜାର, ପର୍ବପର୍ବାଣୀ ସାଙ୍ଗକୁ ଯାତ୍ରା ଉପରେ ମଧ୍ୟ ଲଗା ଗଲା କଟକଣା । ଏହା ପର ଠାରୁ ଆରମ୍ଭ ହୁଏ ମାମୁନିଙ୍କ ଜୀବନର ସଂଘର୍ଷ ।
ଦର୍ଶକଙ୍କ ତାଳିରେ ପେଟ ପୂରିଯାଉଥିଲା । ଅତି ଅଧିକ ନ ହେଲେ ମଧ୍ୟ ପରିବାର ଚଳେଇବା ହୋଇଯାଉଥିଲା । ହେଲେ ଲକଡାଉନ ଯେମିତି ପୁରାଜୀବନକୁ ପରିବର୍ତ୍ତନ କରିଦେଇଛି । ମଞ୍ଚ ବନ୍ଦ ରହିବା ଯୋଗୁଁ ଯାହା କିଛି ଗଚ୍ଛିତ ରହିଥିଲା ତାହା ଅଳ୍ପ ଦିନରେ ସରିଗଲା ।ଘରେ ତିନି ତିନୋଟି ଛୁଆ ଓ ଅସୁସ୍ଥ ଶାଶୁଶାଶୂ ଅଛନ୍ତି । ସେମାନଙ୍କ ଭରପୋଷଣ ମାମୁନି ଓ ତାଙ୍କ ସ୍ବାମୀ ରାସ୍ତା କଡରେ ଏକ ଚା’ ଦୋକାନ ଟିଏ ଖୋଲିଛନ୍ତି । ଭୋର ହେଲେ ସ୍ବାମୀ ରଞ୍ଜନ ନାୟକ ବଜାର କରି ଆଣନ୍ତି ମାମୁନି ଦୋକାନ ସମ୍ଭାଳନ୍ତି । ଦୋକାନରୁ ଯାହା ରୋଜଗାର ହେଉଛି ଗଣ୍ଡେ ଖାଇ ଦଣ୍ଡେ ବଞ୍ଚିବା କଷ୍ଟକର ହୋଇପଡିଛି । ଦିନେ ଖଟିଲେ ଦିନକୁ 200 ରୁ 300 ଟଙ୍କା ରୋଜାଗାର ହେଉଛି ଦୀର୍ଘ 9 ମାସ ପର୍ଯ୍ୟନ୍ତ ଯାତ୍ରା ମଞ୍ଚ ବନ୍ଦ ରହିବାରୁ ଏମାନଙ୍କ ଭାଗ୍ୟ ଓ ଭବିଷ୍ୟତ ସନ୍ଦେହ ଘେରରେ ରହିଛି ।
ସେପଟେ, ସରକାର କଟକଣା ସହିତ ଧୀରେ ଧୀରେ ସବୁ କିଛି ସ୍ବାଭାବିକ କରିବାକୁ ଆରମ୍ଭ କରିଦେଇଛନ୍ତି । କେବେ ଯାତ୍ରା କରିବାକୁ ସରକାର ଅନୁମତି ଆଉ କେବେ ମଞ୍ଚକୁ ଫେରିବେ ସେହି ମୁହୂର୍ତ୍ତକୁ ଝୁରୁଛନ୍ତି ମାମୁନି । ଯାତ୍ରା କଳାକାରଙ୍କ ପ୍ରତି ସରକାର ଦୃଷ୍ଟି ଦେଉନଥିବାରୁ ମାମୁନି ଭଳି ଏବେ ଅନେକ ଛୋଟମୋଟ କଳାକାର ନିଜର ଜୀବିକା ହରାଇ ନାନା ହନ୍ତସନ୍ତ ହେଉଥିବା ନେଇ ମାମୁନି ଅଭିଯୋଗ କରିଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ