ବାଲେଶ୍ବର: ସାମାଜିକ କାର୍ଯ୍ୟରେ ଅନେକ ସାମାଜିକ ସଂଗଠନ ଲିପ୍ତ ଥିବାବେଳେ ବହୁ ସମୟରେ ସେମାନଙ୍କ କିଛି କାର୍ଯ୍ୟ ପ୍ରଶଂସାର ପାତ୍ର କରାଇଥାଏ । ସେହିପରି ବାଲେଶ୍ଵରର ସାମାଜିକ ସଂଗଠନ ହେଲ୍ପିଂ ସୋସାଇଟି ମଧ୍ୟ ଏମିତି କିଛି କାର୍ଯ୍ୟ କରୁଛି ଯାହା ସାଧାରଣ ତଥା ଅସହାୟ ଲୋକଙ୍କ ପାଇଁ ବେଶ ସହାୟକ ହୋଇପାରିଛି । ଦୁଇବର୍ଷ ଧରି ଲୋକଙ୍କୁ ସେବା ଯୋଗାଉଥିବା ହେଲ୍ପିଂ ସୋସାଇଟି ମେଡିକାଲରେ ଥିବା ରୋଗୀଙ୍କ ପାଇଁ ଏବେ ଦେବଦୂତ ସାଜିଛି । ସୋସାଇଟିର ଏକ ଟିମ ସକାଳ ଓ ସନ୍ଧ୍ୟାରେ ମେଡିକାଲରେ ପହଞ୍ଚି ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ସହାୟତା ଯୋଗାଇବା କାର୍ଯ୍ୟ କରୁଛନ୍ତି ।
ସବୁ ସମୟରେ ମେଡିକାଲରେ ସୋସାଇଟିର ସଦସ୍ୟମାନେ ରହି ଯେଉଁମାନେ ମେଡିକାଲ ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି ସେମାନଙ୍କୁ ଉଚିତ ଭାବେ ସେବା ପ୍ରଦାନରେ ସହଯୋଗ କରୁଛନ୍ତି । କାହାର ରକ୍ତ ଆବଶ୍ୟକ, କିଏ ଔଷଧ ଆଣିବାରେ ଅସୁବିଧା ଭୋଗୁଛି, କିଏ କୌଣସି ଟେଷ୍ଟ କରିବା ଜାଣି ପାରୁନି ସେ ସବୁ ସହାୟତା ଯୋଗାଇ ଦିଆଯାଉଛି । ଏମିତିକି ରାସ୍ତା କଡ଼ରେ ଅସହାୟ ହୋଇ ପଡ଼ିଥିବା ଲୋକମାନଙ୍କୁ ସୋସାଇଟି ସଦସ୍ୟମାନେ ମେଡିକାଲ ନେଇ ଚିକିତ୍ସା ସୁବିଧା ଯୋଗାଉଛନ୍ତି । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ମଧ୍ୟ ଷ୍ଟ୍ରେଚରରେ ନେଇ ୱାର୍ଡ ଭିତରେ ସେବା ଯୋଗାଇବାରେ ସହଯୋଗ କରୁଛନ୍ତି ।
ଏନେଇ ହେଲ୍ପିଂ ସୋସାଇଟିର ସଭାପତି କହିଛନ୍ତି, "ଦୀର୍ଘ ଦୁଇ ବର୍ଷ ଧରି ସଂଗଠନ ଲୋକଙ୍କ ସେବାରେ କାର୍ଯ୍ୟ କରି ଚାଲୁଛି। ଜିଲ୍ଲାର ଡାକ୍ତରଖାନାରେ ରାତି ଦିନ ସଂଗଠନର ଟିମ ଉପସ୍ଥିତ ରହି ରାଗୀଙ୍କୁ ସହାୟତା କରିଥାନ୍ତି। ରୋଗୀଙ୍କ ଯେଭଳି କୌଣସି ସମସ୍ୟା ନହୁଏ, ତାକୁ ଆଖି ଆଗରେ ରଖି ସଂଗଠନ ଏହି କାର୍ଯ୍ୟ କରୁଛି।" ଏକ ପ୍ରକାର କହିବାକୁ ଗଲେ ମେଡିକାଲରେ ରୋଗୀଙ୍କ ପାଇଁ ସେବା ଯୋଗାଇବାରେ ହେଲ୍ପିଂ ସୋସାଇଟି ବିଶେଷ ଭାବେ ସହାୟକ ହେଉଛି।
ଏହା ମଧ୍ୟ ପଢ଼ନ୍ତୁ: ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ
ଏହାସହ କୌଣସି ସହାୟତା ପାଇଁ ସୋସାଇଟିର ସଦସ୍ୟଙ୍କୁ ଯୋଗାଯୋଗ କଲେ ସେମାନେ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସହଯୋଗର ହାତ ବଢ଼ାଇ ଥାଆନ୍ତି । ହେଲ୍ପିଂ ସୋସାଇଟି ଦ୍ୱାରା ପ୍ରଥମେ ଆରମ୍ଭ ହୋଇଥିଲା ଭୋକମୁକ୍ତ ଅଭିଯାନ । ଏହି ଅଭିଯାନରେ ଭିକ୍ଷାବୃତ୍ତି କରୁଥିବା ଲୋକ, ଅସହାୟ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିବା ଲୋକ ଏବଂ ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଖାଦ୍ୟ ବଣ୍ଟନ କରାଯାଇ ସେମାନଙ୍କ କ୍ଷୁଧା ମେଣ୍ଟାଇବାରେ ସହାୟକ ହୋଇଛି ସଂଗଠନ ।
ଇଟିଭି ଭାରତ, ବାଲେଶ୍ବର