ବାଲେଶ୍ବର: ନାନା ସମସ୍ୟା ଘେରରେ ରହିଛି ବାଲେଶ୍ବର ସହର । ଏଭଳି ବହୁବିଧ ସମସ୍ୟାର ସମାଧାନ ପାଇଁ ମ୍ୟୁନିସିପାଲିଟି କାର୍ଯ୍ଯ ନିର୍ବାହୀ ଅଧିକାରୀ ଆଶିଷ ପାଟିଲଙ୍କୁ ଦାବିପତ୍ର ପ୍ରଦାନ କଲା ନଗର ବିଜେପି । ମହାନାଳ ଓ ଡ୍ରେନ ସଫା ହୋଇନଥିବା ଯୋଗୁଁ ଗତ ୧୧ ତାରିଖରେ ମାତ୍ର ୨ ଘଣ୍ଟା ବର୍ଷାରେ ବାଲେଶ୍ୱର ସହରରେ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହୋଇ ଜନସାଧାରଣଙ୍କ ଘରେ ପାଣି ପଶିଥିଲା । ଏହାସହ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ପାଣି ପ୍ରବେଶ କରି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଗଲା ।
ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ତୁରନ୍ତ ଜାମ୍ ହୋଇରହିଥିବା ନାଳ ସଫା କରିବା ପାଇଁ ଦାବି କରିଛି ବିଜେପି । ବାଲେଶ୍ୱର ସହରର ଦାୟିତ୍ୱ ଖୋଦ୍ ମୁଖ୍ୟମନ୍ତ୍ରୀ ନେଇଛନ୍ତି । ମହାନାଳ ପାଇଁ ପୂର୍ବରୁ ହୋଇଥିବା ‘ମାଷ୍ଟର ପ୍ଲାନ’କୁ ତୁରନ୍ତ କାର୍ଯ୍ୟକାରୀ କରି ନଦୀ ସହିତ ସଂଯୋଗ କରିବାର ବିହିତ ପଦକ୍ଷେପ ନେବାକୁ ଦାବି ଉଠିଛି । ପୂର୍ବରୁ ଥିବା କଚ୍ଚା ରାସ୍ତାକୁ ତୁରନ୍ତ ଟେଣ୍ଡର ଡାକି ଗମନାଗମନ ଯୋଗ୍ୟ ପକ୍କା ରାସ୍ତା କରାଯାଉ ।
ତୁରନ୍ତ ସଫେଇ କାର୍ଯ୍ୟ ପାଇଁ ନୂତନ ଟେଣ୍ଡର ଡକାଯାଉ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୟ ଅବଧି ସରିସରି ଯାଉଥିବା ହେତୁ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରାଯିବା ନେଇ ଭଳି ଦାବି ଉପସ୍ଥାପନ କରିଛି ବିଜେପି । ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଦିଆଯାଇଛି ଚେତାବନୀ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ