ବାଲେଶ୍ବର: କାର୍ଯ୍ୟରତ ସାମ୍ବାଦିକଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାରେ ପୋଲିସର ସ୍ଥାଣୁତା ନେଇ ପ୍ରଶ୍ନ ଉଠାଇଛି ବାଲେଶ୍ବର ଜିଲ୍ଲା ସାମ୍ବାଦିକ ସଂଘ । ଆକ୍ରମଣ ଘଟଣାକୁ 8 ଦିନ ହୋଇଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିପାରିନି ପୋଲିସ । ଯାହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ କରିବାକୁ ଧମକ ଦେଇଛି ସାମ୍ବାଦିକ ସଂଘ ।
ଆଜି ଏନେଇ ଜିଲ୍ଲାର ବହୁ ସାମ୍ବାଦିକ ଏସପିଙ୍କ ପାଖରେ ଫେରାଦ ହୋଇଥିଲେ । ଏସପିଙ୍କ ଅନୁପସ୍ଥିତ କାରଣରୁ ଆଡିସନାଲ ଏସପିଙ୍କ ପାଖରେ ଦାବିପତ୍ର ପ୍ରଦାନ କରିଛି ସମ୍ବାଦିକ ସଂଘ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟଦୀପ ଚକ୍ରବର୍ତ୍ତିଙ୍କୁ ଗିରଫ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ପୋଲିସ ଏପର୍ଯ୍ୟନ୍ତ ଏହି ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
କହିରଖୁଛୁ, ଗତ 30 ତାରିଖରେ ଘରକୁ ଫେରୁଥିବା ବେଳେ ସାମ୍ବାଦିକ ପ୍ରତାପ ପାତ୍ରଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିଲେ। ବାଲି ମାଫିଆଙ୍କ ବେଆଇନ କାର୍ଯ୍ୟକଳାପକୁ ନେଇ ଶ୍ରୀ ପାତ୍ର ଖବର ପରିବେଷଣ କରିବା ପରେ ମାଫିଆଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏହାକୁ ନେଇ ବାଲି ମାଫିଆ ଶ୍ରୀ ପାତ୍ରଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ଏପଟେ ଆକ୍ରମଣରେ ଗୁରୁତର ଶ୍ରୀ ପାତ୍ର ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ