ବାଲେଶ୍ବର: ପୁଅର ମୁଣ୍ଡକୁ ହାତ ପାଇଗଲା । ଦୁନିଆ ଦେଖିଲା । ହେଲେ ଯେ ଦୁନିଆ ଦେଖାଇଲା, ହାତ ଧରି ଚାଲି ଶିଖାଇଲା ଆଉ ନିଜ ଖାଲି ପେଟରେ ଓଦା କନା ରଖି ଯିଏ ତୁମ ପେଟରେ ଦାନା ଦେଇଥିଲା ଆଜି ସେହି ଜୀବନ୍ତ ଦେବତା ରୂପି ବାପାକୁ ଭୁଲି ଗଲେ ଏ ସ୍ବାର୍ଥପର ପୁଅ । ରୋଗାଗ୍ରସ୍ତ ବୃଦ୍ଧ ବାପାଙ୍କୁ ନେଇ ଦୁଇ ପୁଅ ଭିତରେ କଳି । କିଏ ବାପାକୁ ରଖିବ, ତାଙ୍କ ଦାୟିତ୍ବ ନେବ ସେନେଇ ଦୁହିଁ ମଧ୍ୟରେ ଲାଗି ରହିଛି ଠେଲାପେଲା । ଆଉ ଏନେଇ ବଡ ପୁଅ ଆସିଛି ଜିଲ୍ଲାପାଳଙ୍କ ନିକଟକୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ ।
ବାଲେଶ୍ବର ଗୋପାଳପୁର ଫାଣ୍ଡି ଅଧିନ ବିଷ୍ଣୁପୁର ଗାଁର ବନମାଳୀ ସେଠୀ । ଗତକିଛି ଦିନ ପୂର୍ବରୁ ବନମାଳୀ ପକ୍ଷାଘାତରେ ଆକ୍ରାନ୍ତ ହେବା ପରେ ତାଙ୍କର ଦାୟିତ୍ବ ନେବା ପାଇଁ ତାଙ୍କର ଦୁଇ ପୁଅ ବିଜୟ ଓ ନିରଞ୍ଜନଙ୍କ ମଧ୍ୟ ସୃଷ୍ଟି ହୋଇଛି ତିକ୍ତତା । ବର୍ତ୍ତମାନ ବାପାଙ୍କ ଦାୟିତ୍ବ ବଡ ପୁଅ ବିଜୟ ନେଉଥିବାବେଳେ ସେ ଆଉ ତାଙ୍କର ଦେଖାଶୁଣା କରିବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି । ତେଣୁ ସାନ ଭାଇ ନିରଞ୍ଜନ ବାପାଙ୍କ ଦାୟିତ୍ବ ନେଉ ବୋଲି ଦାବି କରି ଜିଲ୍ଲାପାଳଙ୍କୁ ଭେଟିଥିଲେ ବିଜୟ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ