ହାଇଦ୍ରାବାଦ: ଉତ୍ତମ ସ୍ବାସ୍ଥ୍ୟ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ସ୍ବାସ୍ଥ୍ୟ ବୀମା ନିତାନ୍ତ ଜରୁରୀ । ଅସୁସ୍ଥତା ସମୟରେ କଠିନ ଆର୍ଥିକ ସ୍ଥିତିରୁ ଏହି ବୀମା ସୁରକ୍ଷା ଦେଇଥାଏ । ମଧ୍ୟବିତ୍ତ ହୁଅନ୍ତୁ କିମ୍ବା ଗରିବ ଶ୍ରେଣୀର, ଲୋକେ ଅର୍ଥ ସଞ୍ଚୟ ବା କୌଣସି ସ୍ବାସ୍ଥ୍ୟ ବୀମା (Health Insurance) କରିନଥିଲେ ଅନେକ ଅସୁବିଧାରେ ପଡିଥାନ୍ତି । ତେଣୁ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ସମ୍ପ୍ରତ୍ତି ଲୋକମାନେ ସ୍ବାସ୍ଥ୍ୟ ବୀମା ପ୍ରତି ବେଶ୍ ଆଗ୍ରହୀ ହେଉଛନ୍ତି । ମନେକର ଯଦି ଆପଣ ବଡ ବ୍ୟାଧିର ଶିକାର ହୋଇଛନ୍ତି ଏବଂ ଏପରି ସ୍ଥିତିରେ ବୀମା କମ୍ପାନୀ ଆପଣଙ୍କ ସ୍ବାସ୍ଥ୍ୟ ବୀମା କ୍ଲେମକୁ ପ୍ରତ୍ୟାଖାନ କରନ୍ତି, ତାହାହେଲେ ଆପଣ କ'ଣ କରିବେ । ଅନେକ ସମୟରେ ବୀମା କମ୍ପାନୀ ପଲିସିଧାରକଙ୍କ କ୍ଲେମ ଆଗ୍ରହ୍ୟକରିପାରନ୍ତି । ତେଣୁ କେଉଁ କେଉଁ କ୍ଷେତ୍ରରେ କମ୍ପାନୀ ବୀମା କ୍ଲେମ ଆଗ୍ରହ୍ୟ କରେ, ସେ ସମ୍ପର୍କରେ ସବିଶେଷ ଧାରଣା ରଖିବା ଜରୁରୀ ।
କୌଣସି ପ୍ରତିବନ୍ଧକ ବିନା ଆପଣ ବୀମା କ୍ଲେମ କରିବାକୁ ଚାହୁଁଥିଲେ ବାର୍ଷିକ ବୀମା ପଲିସିର ନବୀକରଣ କରିବା ଆବଶ୍ୟକ । ତାହାହେଲେ କମ୍ପାନୀ କ୍ଲେମ ରାଶି ମଞ୍ଜୁରୀ କରିଥାନ୍ତି । ଅନେକ ସମୟରେ ପଲିସିଧାରକ ପଲିସି ନବୀକରଣ କରିବାରେ ବିଳମ୍ବ କରିଥାନ୍ତି ଅଥବା ଭୁଲି ଯାଇଥାନ୍ତି । ଏହିଭଳି ସମୟରେ ଆପଣ କ୍ଲେମ କଲେ ମଧ୍ୟ କମ୍ପାନୀ ଆପଣଙ୍କୁ କୌଣସି କ୍ଷତିପୂରଣ ପ୍ରଦାନ କରିବ ନାହିଁ । ଅଧିକାଂଶ ଲୋକେ ଏପରି ଜଟିଳ ସ୍ଥିତିର ସମ୍ମୁଖୀନ ହେବା ପରେ ହିଁ ନିଜର ତ୍ରୁଟି ହୃଦୟଙ୍ଗମ କରିଥାନ୍ତି । ଠିକ୍ ସମୟରେ ପଲିସି ନବୀକରଣ ନ ହେଲେ ବୀମା କମ୍ପାନୀ କ୍ଲେମ୍ ଦେବାକୁ ବାଧ୍ୟ ନୁହଁନ୍ତି । ତେଣୁ ନବୀକରଣ ଅବଧି ଶେଷ ହେବା ପୂର୍ବରୁ ପଲିସି ନବୀକରଣ କରିନେବା ଉଚିତ୍ । ସାଧାରଣତଃ ସ୍ବାସ୍ଥ୍ୟ ବୀମା ପଲିସିର ଧାର୍ଯ୍ୟ ସମୟ ସରିବା ପରେ ନବୀକରଣ ପାଇଁ ୧୫ରୁ ୩୦ ଦିନ ଅଧିକ ଅତିରକ୍ତ ସମୟ ମିଳିଥାଏ । ବେଳେବେଳେ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲେମ୍ ଆବେଦନ କରିବା ପରେ ମଧ୍ୟ କ୍ଷତିପୂରଣ ମିଳେ ନାହିଁ ।
ସ୍ପଷ୍ଟ ସୂଚନା ଦିଅନ୍ତୁ:
ପଲିସି ନେବା ସମୟରେ ପୂର୍ବରୁ ଆପଣ ଶରୀରରେ ଥିବା ରୋଗ ସମ୍ପର୍କରେ ଆପ୍ଲିକେସନ ଫର୍ମରେ ଉଲ୍ଲେଖ କରିବା ଉଚିତ୍ । ବିଶେଷକରି, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, ମେଧୁମେହ ଆଦି ରୋଗ ଥିଲେ ଏହା ସୂଚୀତ କରାନ୍ତୁ । ଏପରିକି ଯଦି ଆଗରୁ ଆପଣ କୌଣସି ବଡ ଅସ୍ତ୍ରୋପଚାର କରିଛନ୍ତି, ତେବେ ଏହା ମଧ୍ୟ ଉଲ୍ଲେଖ କରନ୍ତୁ । ପଲିସି ନବୀକରଣ ସମୟରେ ଯଦି ପଲିସି ବର୍ଷରେ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ଭଳି ରୋଗ ଦେଖାଯାଏ ତେବେ ନବୀକରଣ ସମୟରେ ଏ ବାବଦରେ ବୀମା କମ୍ପାନୀକୁ ସୂଚୀତ କରିବା ଆବଶ୍ୟକ । ସ୍ବାସ୍ଥ ବୀମା ନେବା ସମୟରେ ଆପଣଙ୍କ ସ୍ବାସ୍ଥ୍ୟ ସହ ଜଡିତ ସମସ୍ତ ଜିନିଷ ଜଣାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ଟିକିଏ ଭୁଲ୍ ଆପଣଙ୍କ କ୍ଲେମ୍ ପାଇବା କ୍ଷେତ୍ରରେ ବଡ ସମସ୍ୟା ହୋଇପାରେ । ଛୋଟ ଛୋଟ ସୂଚନାର ଅଭାବ ଦ୍ବାରା ବୀମା କମ୍ପାନୀ ଆପଣଙ୍କ କ୍ଲେମ୍ ଆଗ୍ରହ୍ୟ କରିପାରେ ।
ପ୍ରତୀକ୍ଷା ଅବଧି:
ସ୍ବାସ୍ଥ୍ୟ ବୀମା ପଲିସି ନେବା ପରେ କିଛି ରୋଗ ପାଇଁ ନିର୍ଦ୍ଧିଷ୍ଟ ପ୍ରତୀକ୍ଷା ଅବଧି ରହିଥାଏ । ଏହି ସମୟ ପୂର୍ବରୁ ରୋଗର ଚିକିତ୍ସା ପାଇଁ ବୀମା କମ୍ପାନୀ ଦ୍ବାରା କ୍ଲେମ ଗ୍ରହଣ କରାଯାଇପାରିବ ନାହିଁ । ପଲିସିଧାରକ ଆଧାରରେ ପ୍ରତୀକ୍ଷା ଅବଧି ଭିନ୍ନ ହୋଇଥାଏ । ପଲିସି ନେବା ସମୟରେ ଏହାର ପ୍ରାବଧାନ ସମ୍ପର୍କରେ ସମ୍ପୂର୍ଣ୍ଣ ଧାରଣା ରଖିବା ଜରୁରୀ । କେଉଁ ରୋଗ ଏବଂ କେବେ ଯାଏଁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ ନାହିଁ, ତାହା ପଲିସି ଡକ୍ୟୁମେଣ୍ଟରୁ ସ୍ପଷ୍ଟ ଉଲ୍ଲେଖ ରହିଥାଏ । ତେଣୁ ଏହାକୁ ଭଲ ଭାବେ ପଢି ବୁଝିବା ଆବଶ୍ୟକ ।
ନିର୍ଦ୍ଧିଷ୍ଟ ରୋଗ ପାଇଁ ଚିକିତ୍ସା:
କିଛି ନିର୍ଦ୍ଧିଷ୍ଟ ରୋଗର ଚିକିତ୍ସା ପାଇଁ ବୀମା କଭର ମିଳିନଥାଏ । ବୀମା କମ୍ପାନୀ ପୂର୍ବରୁ ଏ ସମ୍ପର୍କରେ ପଲିସିଧାରକଙ୍କୁ ସୂଚୀତ କରିଥାନ୍ତି । ଏହିସବୁ ରୋଗ ପାଇଁ କମ୍ପାନୀ ଆଦୌ କ୍ଷତିପୂରଣ ଅର୍ଥ ପ୍ରଦାନ କରିନଥାଏ । ତେଣୁ ସ୍ବାସ୍ଥ୍ୟ ବୀମା ପଲିସି ନେବା ପୂର୍ବରୁ ପ୍ରଥମେ ଆପଣଙ୍କ ସେହି ରୋଗ ତାଲିକା ଭଲ ଭାବେ ଜାଣିରଖନ୍ତୁ । ପଲିସି ନେବା ସମୟରେ ଏକାଧିକ ରୋଗ କଭର କରୁନଥିବା ପଲିସି ଠାରୁ ଦୂରେଇ ରୁହନ୍ତୁ ।
ଯଦି ଡେଡ୍ଲାଇନ୍ ସରିଯାଏ...
ପଲିସିଧାରକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲେମ୍ ପାଇଁ ଆବେଦନ କରିବାକୁ ପଡିବ । ମେଡିକାଲରୁ ଡିସଚାର୍ଜ ହେବାର ୬୦ରୁ ୯୦ ଦିନ ମଧ୍ୟରେ ବୀମା କମ୍ପାନୀଙ୍କୁ ସମ୍ପୃକ୍ତ କ୍ଲେମ୍ ଡକ୍ୟୁମେଣ୍ଟ ଦେବା ଉଚିତ୍ । ଯଦି ଏହା ନ କରନ୍ତି, ତେବେ କମ୍ପାନୀ ଆପଣଙ୍କ ମେଡିକାଲ ଖର୍ଚ୍ଚ ବହନ କରିବାକୁ ମନା କରିପାରିବ । Bajaj Allianz General Insuranceର Head-Health Administration ଭାସ୍କର ନେରୁରକର ଏହା କହିଛନ୍ତି ।