ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ହେଲେ ସିତିକାନ୍ତ ପଟ୍ଟନାୟକ( Sitikantha Pattanaik) ଏବଂ ରାଜୀବ ରଞ୍ଜନ(Rajiv Ranjan) । ମେ 1 ତାରିଖରୁ ଉଭୟଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ରିଜର୍ଭ ବ୍ୟାଙ୍କ ନିଯୁକ୍ତ କରିଛି । ଏନେଇ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛି । ପଦୋନ୍ନତି ମିଳିବା ପୂର୍ବରୁ ସିତିକାନ୍ତ ଅର୍ଥନୀତି ଓ ନୀତି ଗବେଷଣା (Department of Economic and Policy Research) ବିଭାଗର ପରାମର୍ଶଦାତା ଭାବେ କାମ କରୁଥିଲେ । ସେହିପରି ରାଜୀବ ମୁଦ୍ରାନୀତି ବିଭାଗର(Monetary Policy Department) ମୁଖ୍ୟ ପରାମର୍ଶଦାତା ଏବଂ ମୁଦ୍ରାନୀତି କମିଟିର ସଚିବ ଥିଲେ ।
ଆରବିଆଇ କହିଛି, କାର୍ଯ୍ୟକାରୀ ନିର୍ଦ୍ଦେଶକ (ED) ଭାବେ ସିତିକାନ୍ତ ଅର୍ଥନୀତି ଏବଂ ନୀତି ଗବେଷଣା ବିଭାଗର(DEPR) ଦାୟିତ୍ବ ସମ୍ଭାଳିବେ ଏବଂ ରାଜୀବ ମୁଦ୍ରାନୀତି ବିଭାଗରେ କାର୍ଯ୍ୟ କରିବେ । ରାଜୀବ ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ଏବଂ ଦିଲ୍ଲୀ ସ୍କୁଲ ଅପ୍ ଇକୋନୋମିକସରୁ ଅର୍ଥନୀତିରେ ମାଷ୍ଟରଡିଗ୍ରୀ ହାସଲ କରିଛନ୍ତି । ଅନ୍ୟପଟେ ସୀତାକାନ୍ତ ପଟ୍ଟନାୟକ ମଧ୍ୟ ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି ।