ନୂଆଦିଲ୍ଲୀ: ମହଙ୍ଗାମାଡରେ ଅସ୍ତବ୍ୟସ୍ତ ଦେଶବାସୀ । ତୈଳ, ଗ୍ୟାସ ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର କ୍ରମାଗତ ଭାବେ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଦେଶବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ କମିବ ମୁଦ୍ରାସ୍ପୀତି । ଏନେଇ ଗତକାଲି(ଶନିବାର) କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ(RBI)ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ସେ କହିଛନ୍ତି ଯେ, "2022-23 ଦ୍ବିତୀୟାର୍ଦ୍ଧରେ(ଅକ୍ଟୋବର) ମହଙ୍ଗା ସ୍ଥିତିରେ ସୁଧାର ଆସିବ। ଫଳରେ ଅର୍ଥବ୍ୟବସ୍ଥାରେ ଦେଖାଯାଉଥିବା ସମସ୍ୟା ଦୂର ହେବ । ତେବେ ଏଥିପାଇଁ RBIକୁ କଠୋର ମନିଟାରି ପଲିସି ନିଷ୍ପତ୍ତି ନେବା ଆବଶ୍ୟକ ପଡ଼ିବ ନାହିଁ । ଅର୍ଥନୈତିକ ପ୍ରତିଷ୍ଠାନ ଉପରେ ମୁଦ୍ରାସ୍ପୀତି ହେଉଛି ଜନସାଧାରଣଙ୍କ ଆତ୍ମବିଶ୍ୱାସର ଏକ ମାପକ ଅଟେ। "
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରପ୍ତାନୀ ସ୍ଥିତି ଭଲ ରହିଛି । ତେଣୁ ଆମେ ଆଶାକରୁଛୁ ଯେ ଅକ୍ଟୋବର ସୁଦ୍ଧା ସ୍ଥିତିରେ ସୁଧାର ଆସିବ ଏବଂ ଦେଶରେ ମୁଦ୍ରାସ୍ପୀତି କମିବ । ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ କେନ୍ଦ୍ରିୟ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିବ । ଭାରତରେ ମୁଦ୍ରାସ୍ପୀତି RBIର ଧାର୍ଯ୍ୟ ସୀମା ୬%ପାର କରାଯାଇଛି । ଗତ ଦୁଇମାସରେ ଏହାର ପ୍ରମୁଖ ସୁଦ୍ଧହାରରେ ୯୦ ପ୍ରତିଶତ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ଯୋଗାଣ ଶୃଙ୍ଖଳ ସ୍ଥିତି ସୁଧୁରିବା ସହ ଅନେକ ମାପଦଣ୍ଡରେ ଉନ୍ନତି ଆସିଛି ।
ପ୍ରକାଶଥାଉକି, ଋଷ-ୟୁକ୍ରେନ ପରଠାରୁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି । ଫଳରେ ସମସ୍ତ ଦରରେ ବୃଦ୍ଧି ଘଟିଛି । ଫଳରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ସୁଧହାର ବୃଦ୍ଧି କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ