ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ହାଉସିଂ ଲୋନ କମ୍ପାନୀ(HDFC) ଓ ବଡ଼ ଘରୋଇ ବ୍ୟାଙ୍କ HDFC ସହିତ ବିଲୟ ହେବାକୁ ଯାଉଛି । ହାଉସିଂ ଡେଭଲପମେଣ୍ଟ ଫାଇନ୍ସିଆଲ କର୍ପୋରେସନ(HDFC)ର ବୋର୍ଡ ଏ ନେଇ ମଞ୍ଜୁରୀ ଦେଇଛନ୍ତି । ଏହି ୨ କମ୍ପାନୀର ବିଲୟ ପରେ ହାଉସିଂ ଲୋନ(ଘର ପାଇଁ ଋଣ) ମଜବୁତ ହେବାକୁ ଯାଉଛି । ଏହାବ୍ୟତୀତ HDFCର ଗ୍ରାହକ ମଧ୍ୟ ଏହାର ଲାଭ ଉଠାଇ ପାରିବେ । ଏହି ବିଲୟ ପରେ HDFC ବ୍ୟାଙ୍କରେ HDFC କମ୍ପାନୀର ୪୧ ପ୍ରତିଶତ ଅଂଶୀଦାର ରହିବ ବୋଲି ଜଣାପଡ଼ିଛି ।
ଏବେ ଏହି ବିଲୟକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ମଞ୍ଜୁରୀ ଦେବା ବାକି ରହିଛି । ବିଲୟ ଖବର ଆସିବା ପରେ ସେୟାର ମାର୍କେଟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ଅନୁସାରେ HDFCର ଷ୍ଟକ ଦାମ ୧୩.୬୦ ପ୍ରତିଶତ ବଢିଥିବା ବେଳେ HDFC ବ୍ୟାଙ୍କର ଷ୍ଟକ ଦାମ ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ HDFCର ମୋଟ ପୁଞ୍ଜି(Asset) ୬.୨୩ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ HDFC ବ୍ୟାଙ୍କର ପୁଞ୍ଜି ୧୯. ୩୮ ଲକ୍ଷ କୋଟି ଟଙ୍କା ବୋଲି ଜଣାପଡିଛି । ଏହି ଟ୍ରାନଜାକ୍ସନ ଦ୍ବାରା HDFC ବ୍ୟାଙ୍କକୁ ଲାଭ ମିଳିବା ସହିତ ଏହାର ଆସେଟ କ୍ବାଲିଟିରେ ବୃଦ୍ଧି ଘଟିବ ।
ସେପଟେ ବନ୍ଧନ ବ୍ୟାଙ୍କରେ HDFC କମ୍ପାନୀର ୯.୮୯ ପ୍ରତିଶତ ବଡ ଅଂଶୀଦାର ରହିଛି । ଏହି ବିଲୟକୁ ନେଇ HDFC କମ୍ପାନୀର ଚେୟାରମ୍ୟାନ ଦୀପକ ପାରେଖ କହିଛନ୍ତି ଯେ ଏହାଦ୍ବାରା ବ୍ୟାଙ୍କର ବାଲାନ୍ସ ସିଟରେ ସୁଧାର ଆସିବ । ଏହାଦ୍ବାରା ଅର୍ଥନୀତିର କ୍ରେଟିଡ ଗ୍ରୋଥ୍ ବଢିବ ବୋଲି ସେ କହିଛନ୍ତି । HDFC ବ୍ୟାଙ୍କର ହାଉସିଂ ଲୋନ ପୋର୍ଟଫୋଲିଓକୁ ଉନ୍ନତ କରିବା ଓ ବ୍ୟାଙ୍କର ମହଜୁଦ ଥିବା ଉପଭୋକ୍ତା ଏଥିରୁ ଲାଭାନ୍ବିତ ହେବେ ।