ମୁମ୍ବାଇ: ମଙ୍ଗଳବାର ଉପରମୁହାଁ ସେନସେକ୍ସ ଓ ନିଫ୍ଟି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ, ଭାରତୀ ଏୟାରଟେଲ ଭଳି ହେଭିୱେ ଇଣ୍ଡେକ୍ସର ବମ୍ପର ବୃଦ୍ଧି ସହ ସର୍ବୋଚ୍ଚ ସ୍ତରରେ ପହଞ୍ଚି କାରବାର ବନ୍ଦ କରିଛି ଘରୋଇ ବଜାର । ସକରାତ୍ମକ ବିଶ୍ୱସ୍ତରୀୟ ସୂଚକ ଏବଂ ସ୍ଥାୟୀ ବୈଦଶିକ ପୋର୍ଟୋଫୋଲିଓ ଇନଭେଷ୍ଟମେଣ୍ଟ (FPI) ପ୍ରବାହ ମଧ୍ୟରେ ବଜାରରେ ଅଭିବୃଦ୍ଧି ଦେଖାଦେଇଛି ।
ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 247.79 ପଏଣ୍ଟ ବୃଦ୍ଧି ପାଇ 49,517.11 ପଏଣ୍ଟରେ ପହଞ୍ଚିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ସେୟାର ସୂଚକାଙ୍କ ନିଫ୍ଟି 78.70 ପଏଣ୍ଟ ଉଛୁଳି 14,563.45 ପଏଣ୍ଟରେ କାରବାର ଶେଷ କରିଛି । ତେବେ ଆଜି କାରବାର ମଧ୍ୟରେ ସେନସେକ୍ସ ସର୍ବୋଚ୍ଚ 49,569.14 ପଏଣ୍ଟ ଛୁଇଁଥିଲା ।
ସେନସେକ୍ସ ସେୟାର ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ସର୍ବୋଚ୍ଚରେ ରହିଥିଲା ବେଳେ ଭାରତୀୟ ଏୟାରଟେଲ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଏଚଡିଏଫସି ବ୍ୟାଙ୍କ, ଆଇଟିସି , ଆକ୍ସିସ ବ୍ୟାଙ୍କ, ଏଣ୍ଟିପିସି ସେୟାର ମଧ୍ୟ ସବୁଜରେ କାରବାର ବନ୍ଦ କରିଛି । ଅନ୍ୟପଟେ ଏସିଆ ପେଣ୍ଟସ, ଏଚୟୁଏଲ, ନେସଲେ ଇଣ୍ଡଆ, ଟାଇଟନ ଏବଂ କୋଟାକ ବ୍ୟାଙ୍କ କ୍ଷତିର ରହିଛି ।
କେନ୍ଦ୍ର ସରକାରଙ୍କ ତିନୋଟି ବିବାଦୀୟ କୃଷି ଆଇନର କାର୍ଯ୍ୟକାରିତାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ ବଜାରରେ ଆଜି ଅନିଶ୍ଚିତତା ଦେଖାଦେଇଥିଲା । ତେବେ ସେନସେକ୍ସ ଓ ନିଫ୍ଟି ଅସ୍ଥିର ସହ ବୃଦ୍ଧିରେ କାରବାର ବନ୍ଦ କରିଛି । ମଙ୍ଗଳବାର ବୈଶ୍ବିକ ବଜାରରେ ବ୍ରେଣ୍ଟ କ୍ରୁଡ 1.60 ପ୍ରତିଶତ ବଢି ବ୍ୟାରେଲ ପ୍ରତି 56.55 ଡଲାରରେ କାରବାର କରୁଛି ।