ନୂଆଦିଲ୍ଲୀ : କୋରୋନା ପାଇଁ ଏବେ ଵ୍ୟାଙ୍କ କାରବାରେ ବଡ଼ ଅସୁବିଧା ଦେଖା ଦେଇଛି । ଲକଡାଉନ ଯୋଗୁଁ କାରବାର ଏକ ପ୍ରକାର ଠପ ହୋଇଯାଇଛି । ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି । ଯାହାର ପ୍ରଭାବ ଲୋକଙ୍କ ରୋଜଗାର ଉପରେ ପଡିଛି । ରିଜର୍ଭ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କକୁ ୩ ମାସ ପାଇଁ ଇଏମଆଇ ହୋଲ୍ଡ କରିବାକୁ ପରାମର୍ଶ ମଧ୍ୟ ଦେଇଛି । ଏପରିକି କମ୍ପାନୀଙ୍କୁ ୩ ମାସ ପାଇଁ ଇଏମଆଇ ରୋକିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ମଧ୍ୟମ ବର୍ଗଙ୍କୁ ଲାଭ ମିଳିବ । ତେବେ ତିନି ମାସର ଏହି ଇଏମଆଇ ଆପେ ଆପେ ହୋଲ୍ଡ୍ ହେବ ନାହିଁ । ଯଦି ଆପଣ ସମୟାନୁସାରେ ପେମେଣ୍ଟ ନ କରନ୍ତି ତେବେ ଆପଣ ଡିଫଲ୍ଟର ମଧ୍ୟ ହୋଇପାରନ୍ତି ।
ଇଏମଆଇକୁ ୩ ମାସ ଯାଏଁ ରୋକିବା ସୁବିଧା ହେଉଛି ଇଚ୍ଛାଧିନ । ଯଦି କୌଣସି ଗ୍ରାହକ ୩ ମାସ ଯାଏଁ ଇଏମଆଇ ଦେବାକୁ ଚାହିଁବେ ନାହିଁ ତେବେ ସେ ବ୍ୟାଙ୍କକୁ ଏନେଇ ଜଣାଇବା ଆବଶ୍ୟକ । ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରକାର ଟର୍ମ ଲୋନ ଉପର ଆଶ୍ୱସ୍ତି ଦିଆଯାଇଛି । ଏଥିରେ ପର୍ସନାଲ, ଅଟୋ ଓ ହୋମ ଲୋନ ସାମିଲ ଅଛି । ଯଦି ଆପଣ ୩ ମାସ ପାଇଁ ଇଏମଆଇ ହୋଲ୍ଡ କରିବାକୁ ଚାହାଁନ୍ତି ତେବେ କରିପାରିବେ । କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଆପଣ ଇଏମଆଇ ନଭରନ୍ତି ତେବେ ମୂଳଧନ ଉପରେ ସୁଧ ଜାରି ରହିବ । ଫଳରେ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ । ଏହାସହ ଲୋନ ସୁଝିବାର ଅବଧି ମଧ୍ୟ ୩ ମାସ ବୃଦ୍ଧି ପାଇବ । ଯଦି ଆପଣ ନିୟମିତ ଇଏମଆଇ ଭରିବା ପାଇଁ ଯୋଗ୍ୟ ତେବେ ହୋଲ୍ଡ କରିବା ଲାଭଦାୟକ ନୁହେଁ ।ଏହାକୁ ନେଇ ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ମେସେଜ ମଧ୍ୟ ପଠାଉଛନ୍ତି ।