ମୁମ୍ବାଇ: ଦେଶବ୍ୟାପୀ ଲକଡାଉନର ଦ୍ବିତୀୟ ଦିନ । ସବୁଜ ସଙ୍କେତରେ ଖୋଲିଲା ବଜାର । ଉଭୟ ସେନସେକ୍ସ ଓ ନିଫ୍ଟି ଉପରମୁହାଁ ରହିଛି ।
କାରବାର ଆରମ୍ଭରେ ସେନସେକ୍ସ 721.58 ପଏଣ୍ଟ ବୃଦ୍ଧି ସହ 29,257.36ରେ କାରବାର କରୁଛି । ସେପଟେ ନିଫ୍ଟି ବି 174 ପଏଣ୍ଟ ବଢି 8,492.10ରେ କାରବାର ଜାରି ରଖିଛି । ତେବେ ଲକଡାଉନରେ ପ୍ରଥମ ଦିନ ଅର୍ଥାତ ବୁଧବାର ବଜାରରେ ପ୍ରଫିଟ ଦେଖାଦେଇଥିଲା । ଫଳରେ ଲଗାତାର ଜାରି ହ୍ରାସରୁ ନିବେଶକଙ୍କୁ ମୁକ୍ତି ମିଳିଥିଲା । ଗୋଟିଏ ଦଶକର ସର୍ବଶ୍ରେଷ୍ଠ ଦିନିକିଆ ବୃଦ୍ଧି ସହ କାରବାର ବନ୍ଦ ହୋଇଥିଲା । ବୈଶ୍ବିକ ବଜାରରେ ସକରାତ୍ମକ ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ଏଭଳି ଅଭିବୃଦ୍ଧି ଦେଖାଦେଇଥିଲା ।
ସେପଟେ ଅଶୋଧିତ ତୈଳ ଦର ହ୍ରାସ ଜାରି ରହିଛି । ଗୁରୁବାର କାରବାର ଆରମ୍ଭ ସୁଦ୍ଧା ବ୍ୟାରେଲ ପିଛା ଅଶୋଧିତ ତୈଳ ଦାମ 27.24 ଡଲାର ରହିଛି । ବିଶ୍ବରେ ତାଣ୍ଡବ ମଚେଇଥିବା ମାରାତ୍ମକ କୋରୋନା ମହାମାରୀ ଯୋଗୁଁ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଏଥିଯୋଗୁଁ ସମଗ୍ର ବିଶ୍ବର ନଜର ଏବେ ଆମେରିକା ଦ୍ବାରା ଘୋଷଣା ହୋଇଥିବା 2 ଟ୍ରିଲିୟନ ଡଲାର ଆର୍ଥିକ ପ୍ୟାକେଜ ଉପରେ ରହିଛି ।