ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମେ ବ୍ୟାଙ୍କ ମିଶ୍ରଣ ସୂଚାରୁ ରୂପେ କରାଯିବ । ଆଉ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ତତ୍ପର ରହିବ । ସରକାରଙ୍କ ସହ ସମ୍ପର୍କ କରି ବ୍ୟାଙ୍କ ମିଶ୍ରଣରେ ସାହାଯ୍ୟ କରାଯିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁନିଶ୍ଚିତ କରିଛନ୍ତି ।
ଏନେଇ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, କେବଳ ବ୍ୟାଙ୍କ ମିଶ୍ରଣ ନୁହେଁ ଏହା ପରେ ଋଣ ବିତରଣ, ଋଣ ଆଦାୟ , ବ୍ୟାଙ୍କର କାର୍ଯ୍ୟକାରିତା ଭଳି ପ୍ରମୁଖ ପ୍ରକ୍ରିୟା ଯେପରି ବିନା ବାଧାରେ ସମ୍ପୂର୍ଣ୍ଣ ହେବ ସେ ନେଇ ଆରବିଆଇ ଦାୟିତ୍ବବାନ ରହିବ।
ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 10ଟି ରାଷ୍ଟ୍ରାୟତଃ ବ୍ୟାଙ୍କ ମିଶ୍ରଣ ନେଇ ଘୋଷଣା କରିଥିଲେ । ଯାହା ପରେ ଦେଶରେ ସରକାରୀ ବ୍ୟାଙ୍କ ସଂଖ୍ୟା 19ରୁ ହ୍ରାସ ପାଇ 12ରେ ପହଞ୍ଚିବ । ତେବେ ଏଭଳି ଏକ ବିଷୟରେ ସରକାରଙ୍କ ସହ ଆରବିଆଇ ବିଚାରବିମର୍ଶ କରୁଥିବା ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଆଉ ଏନେଇ ବ୍ୟାଙ୍କର କୌଣସି ମଧ୍ୟ କାମ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି।