ନୂଆଦିଲ୍ଲୀ: ଭାରତ ବିଭିନ୍ନ ଉର୍ଜା ବୁଝାମଣା ଅନୁଯାୟୀ କରାଯାଇଥିବା ପ୍ରତିଶ୍ରୁତିର ସମ୍ମାନ କରିବ । ଏ ନେଇ ସୁଧାର କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏଭଳି କହି ଇଣ୍ଡିଆ ଏନର୍ଜି ଫୋରମରେ ନିବେଶକଙ୍କୁ ସମସ୍ତ ପ୍ରକାର ଆଶ୍ବସନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଏପଟେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶା ରଖିଛନ୍ତି ଯେ, ପ୍ରାକୃତିକ ଗ୍ୟାସ ଓ ବିମାନ ଇନ୍ଧନ(ଏଟିଏଫ)କୁ ଦ୍ରବ୍ୟ ଓ ସେବା କର(ଜିଏସଟି) ଅଧିନରେ ଅଣାଯିବ । ଏହା ଦ୍ବାରା ଦର କମିବା ସହ ନିବେଶକଙ୍କ ମଧ୍ୟ ପ୍ରଫିଟ ହେବ । ବର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଓ ପ୍ରାକୃତିକ ଗ୍ୟାସ ଭଳି ପେଟ୍ରୋଲିୟମ ଉତ୍ପାଦ ଜିଏସଟି ବାହାରେ ରହିଛି । ଏଣୁ ଯୋଗୁଁ ରାଜ୍ୟଗୁଡିକ ଏସବୁ ବିକ୍ରି ଉପରେ କର ଲଗାଉଛି ।
ବୁଝାମଣାରେ କରାଯାଇଥିବା ସବୁ ସର୍ତ୍ତର ପାଳନ କରାଯିବ । ଯେପରି ନିବେଶକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ସୀତାରମଣ ପ୍ରତିଶ୍ରୁତି ଦେଇଛନ୍ତି । ନିକଟରେ ଆନ୍ଧ୍ରାପ୍ରଦେଶର ସରକାରୀ ଏଜେନ୍ସିଗୁଡିକ ଭାରତୀୟ ସୌର ଉର୍ଜା ନିଗମ(ସେକୀ) ଏବଂ ଏନଟିପିସିରୁ ବିଦ୍ୟୁତ କିଣିବା ନେଇ ବୁଝାମଣା କରିଥିଲେ । ଏହା ଅନୁଯାୟୀ ନିଲାମ କରାଯାଇଥିବା ନବୀକରଣୀୟ ଉର୍ଜା ପରିଯୋଜନାର ଦର ହ୍ରାସ ପାଇଁ କହିଛି । ଏଥିଯୋଗୁଁ ନିବେଶକମାନେ ପ୍ରଭାବିତ ହୋଇଥିଲେ ।
ବର୍ତ୍ତମାନ ଭାରତରେ ନିବେଶକଙ୍କ ସ୍ଥିତି ଅନୁକୂଳ କରାଯାଉଛି । ବିନା କୌଣସି କିନ୍ତୁ-ପରନ୍ତୁ ପ୍ରଶ୍ନରେ କର ହାରକୁ ହ୍ରାସ କରାଯାଇଛି । ଏପଟେ କମ୍ପାନୀ ଆଇନରେ ସଂଶୋଧନ ନେଇ ଯୋଜନା ଚାଲିଛି । ଯେପରି ଏହା ଦଣ୍ଡ ଭଳି ନ ଲାଗିବ । ଏହା ବ୍ୟାତିତ ବହୁତ ବଡ ସୁଧାର ନେଇ ସରକାର ଉପାୟ କାଢୁଛନ୍ତି ବୋଲି ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ।