ହାଇଦ୍ରାବାଦ: ସାମ୍ପ୍ରତିକ ଉଦାରବାଦୀ ଏବଂ ଜଗତିକରଣ ଅର୍ଥନୀତିରେ ଗ୍ରାହକ ଅଧିକ ଗୁରୁତ୍ଵପୂଣ୍ଣ। ଏଣୁ କ୍ରୟ ବୃଦ୍ଧିକୁ ନଜରରେ ରଖି ଗ୍ରାହକ ଯେପରି ଠକାମି ବା କ୍ଷତିର ଶିକାର ନ ହେବେ ସେ ବାବଦରେ ଧ୍ୟାନ ଦିଆଯିବା ଆବଶ୍ୟକ।
ଏହା ସତ୍ୟ ଯେ, ଖାଉଟିଙ୍କ ଅଧିକାର ସମ୍ବନ୍ଧରେ ସରକାର ଅନେକ ଆଇନ ପ୍ରଣୟନ ଓ କାର୍ଯ୍ୟକାରୀ କରାଉଛନ୍ତି , କିନ୍ତୁ ଗ୍ରାହକ ଏ ବାବଦରେ ସଚେତନ ନଥିବା ପରିଲକ୍ଷିତ ହେଉଛି। ଏଥିଯୋଗୁଁ ବର୍ତ୍ତମାନ ସମୟରେ ଗ୍ରାହକ ବି ଜାଣିବା ଦରକାର କି ତାଙ୍କ ସପକ୍ଷରେ କେଉଁସବୁ ଆଇନ କାର୍ଯ୍ୟକାରୀ ହେଉଛି। ତେବେ ସଚେତନତା ଅଭାବ ଯୋଗୁଁ ଆଜିକା ସମୟରେ ଅଧିକାଂଶ ଗ୍ରାହକ ବିକ୍ରେତା କିମ୍ବା ଉତ୍ପାଦନକାରୀଙ୍କ ଛଳନା ଓ ଠକାମିର ଶିକାର ହେଉଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ଗ୍ରାହକମାନେ ଏଭଳି ହଇରାଣ ଅଧିକ ହେଉଛନ୍ତି।
ଗତବର୍ଷ କେନ୍ଦ୍ର ସରକାର ଖାଉଟି ସୁରକ୍ଷା ଆଇନ-୧୯୮୬ରେ କିଛି ପରିବର୍ତ୍ତନ ମୂଳକ ଏକ ସଂଶୋଧନ ବିଲ୍ ଆଣିଥିଲେ। ଏହି ବିଲ୍ ଉଭୟ ଗୃହରେ ପାରିତ ହେବା ପରେ ୨୦୧୯ ଅଗଷ୍ଟ ୯ ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପ୍ରାପ୍ତ କରିଛି। ଏହି ସଂଶୋଧିତ ଆଇନରେ ଗ୍ରାହକଙ୍କ ଅଧିକାର ସୁରକ୍ଷା, ଅସାଧୁ ବ୍ୟବସାୟ ଉପରେ ରୋକ୍, ବିଳମ୍ବେରେ ଅଭିଯୋଗ ଶୁଣାଣି, ଇ-କମର୍ସ କାରବାର ପ୍ରଭୃତି ବିଷୟକୁ ସ୍ଥାନୀତ କରାଯାଇଛି। ବାସ୍ତବରେ ଦେଖିବାକୁ ଗଲେ ଏହି ସଂଶୋଧିତ ଆଇନ ବ୍ୟବସ୍ଥା ଖାଉଟିଙ୍କୁ ସଶକ୍ତ କରିବା ଦିଗରେ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ। ଏହି ପରିପ୍ରେକ୍ଷିରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ଗଠନ କରାଯାଇଥିବା ‘ୟୁଏସ୍ ଫେଡେରେସନ୍ ଅଫ୍ ଟ୍ରେଡ୍ କମିଶନ’ ଏବଂ ଅଷ୍ଟ୍ରେଲିଆର ‘ଅଷ୍ଟ୍ରେିଲିଆନ୍ କଞ୍ଜୁମର ଆଣ୍ଡ କମିଶନ’ର କାର୍ଯ୍ୟ ଉଲ୍ଲେଖଯୋଗ୍ୟ। ପୂର୍ବରୁ ବିଭିନ୍ନ ଭାବରେ କାର୍ଯ୍ୟକରୁଥିବା ଖାଉଟି ଫୋରମ୍ ଗୁଡ଼ିକୁ ହଟାଯାଇ ଏହି ନୂତନ ଆଇନ ବଳରେ ଭାରତରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ଖାଉଟି କମିଶନ ସୃଷ୍ଟି କରାଯିବା ବ୍ୟବସ୍ଥା ରହିଛି। ଗ୍ରାହକଙ୍କ ଅଧିକାର ସୁରକ୍ଷା ଓ ସଚେତନତା ପାଇଁ ଚେଷ୍ଟା ହେଉଛି ଏହାର ଲକ୍ଷ୍ୟ। ଏହି ଆଇନ ବଳରେ ଅସାଧୁ ବ୍ୟବସାୟକୁ ପ୍ରତିବନ୍ଧକ ଏବଂ ଖାଉଟିଙ୍କ ଅଧିକାର ସୁରକ୍ଷିତ ଲାଗି ଖାଉଟି ସୁରକ୍ଷା ପ୍ରାଧୀକରଣ ଗଠନ ଯୋଜନା ପ୍ରଭୃତି ଅନ୍ୟତମ। ଜଣେ ପ୍ରମୁଖ କମିଶନର ଏବଂ ଅନ୍ୟ ଉପକମିଶନରଙ୍କ ନେତୃତ୍ଵରେ ଏହି କମିଶନ କାର୍ଯ୍ୟ କରିବା ବ୍ୟବସ୍ଥା ରହିଛି।
ଏ ନେଇ ଜଣେ ମହା ନିର୍ଦେଶକଙ୍କ ତତ୍ତ୍ଵାବଧାନରେ କମିଶନଙ୍କ ତଦନ୍ତକାରୀ ସଂସ୍ଥାଟି ପରିଚାଳିତ ହେବ। ଅଭିଯୋଗ ଆସିଥିବା କୌଣସି ସଂସ୍ଥା ଉପରେ ଚଢ଼ାଉ କରିବା ଏବଂ ଦୋଷୀ ସାବ୍ୟସ୍ତ କୌଣସି ଅନୁଷ୍ଠାନକୁ ରଦ୍ଦ କରିବା ଲାଗି ଏହି କମିଶନ କ୍ଷମତାପ୍ରାପ୍ତ। ଯଦି କୌଣସି ସଂସ୍ଥା ବିରୋଧରେ ଅନୈତିକ ବ୍ୟବସାୟ ପରିଚାଳନା, ଖାଉଟି
ଅଧିକାର ଉଲ୍ଲଙ୍ଘନ ପ୍ରଭୃତି ଅଭିଯୋଗ ଆସୁଛି ସେଠାରେ କମିଶନ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଇପାରିବେ। ଏଥିସହ ଏହି କ୍ଷମତା ପ୍ରଦାନ ସହ କମିଶନଙ୍କ କାର୍ଯ୍ୟ ପରିସର ତଥା ସୀମା ବାବଦରେ ମଧ୍ୟ ଏହି ନିୟମ ସ୍ପଷ୍ଟ କରିଛି। ଜିଲ୍ଲାସ୍ତରରେ ଥିବା କମିଶନ ୧ କୋଟି କାରବାର ଯାଏଁ ଅଭିଯୋଗକୁ ଶୁଣାଣି ଏବଂ ତଦନ୍ତ ପାଇଁ ଗ୍ରହଣ କରିପାରିବେ। ଜାତୀୟ ସ୍ତରରେ କମିଶନ ୧ କୋଟି ଉପରକୁ ତଥା ୧୦ କୋଟି ଭିତରେ ମାମଲାକୁ ତଦନ୍ତ ଏବଂ ଶୁଣାଣି ପାଇଁ ଗ୍ରହଣ କରିପାରିବେ। ଯଦି ଜିଲ୍ଲା ସ୍ତରରେ କମିଶନଙ୍କ ଶୁଣାଣି ଓ ରାୟ ପରେ କୌଣସି ଅନୁଷ୍ଠାନ ବା ବ୍ୟକ୍ତି ଅଥବା ଖାଉଟି ଅସନ୍ତୋଷ ପ୍ରକାଶ କରନ୍ତି ତେବେ ସେ ରାଜ୍ୟ ସ୍ତରରେ ଅଭିଯୋଗ ଦାଖଲ କରିପାରିବେ। ରାଜ୍ୟ ସ୍ଥରରେ ଥିବା କମିଶନ ଏହି ମାମଲାକୁ ପୁଣିଥରେ ଶୁଣି ଆବଶ୍ୟକ ପରିବର୍ତ୍ତନ ପାଇଁ ଆଦେଶ ଦେଇପାରନ୍ତି। ଅର୍ଥାତ୍ ଜିଲ୍ଲା ସ୍ତରର କମିଶନଙ୍କ ନିଷ୍ପତ୍ତିର ସମୀକ୍ଷା ଏଠାରେ କରାଯାଇପାରିବ।
ଯଦି ରାଜ୍ୟ କମିଶନଙ୍କ କୌଣସି ନିଷ୍ପତ୍ତି ବିରୋଧରେ ଅପିଲ୍ କରିବାକୁ ଚାହିଁବେ ତେବେ ଗ୍ରାହକ ଜାତୀୟସ୍ତରରେ କମିଶନଙ୍କ ଦ୍ଵାରସ୍ଥ ହୋଇପାରିବେ। ଏହି ଶୁଣାଣି ବେଳେ ଯଦି କୌଣସି ପକ୍ଷ ଆଇନ ଉଲ୍ଲଙ୍ଘନ କରିଥିବା ସ୍ପଷ୍ଟ ହୁଏ ତେବେ କମିଶନ ସମ୍ପୃକ୍ତ ପକ୍ଷଙ୍କ ବିରୋଧରେ ଉଚ୍ଚ ଜୋରିମାନା ଆଦେଶ ଜାରି କରିପାରିବେ। ସେହିପରି କୌଣସି ବିଜ୍ଞାପନ ଦ୍ଵାରା ଖାଉଟିଙ୍କୁ ବିଭ୍ରାନ୍ତ କରାଯାଉଥାଏ ଏବଂ ତାହା ପ୍ରମାଣିତ ହୁଏ ତେବେ କମିଶନ ସମ୍ପୃକ୍ତ ବିଜ୍ଞାପନକାରୀ ସଂସ୍ଥା ବିରୋଧରେ ୧୦ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଜାରି କରିପାରିବେ। ଖାଲି ସେତିକି ନୁହେଁ, ଯେଉଁ ସେଲିବ୍ରିଟିମାନେ ସେହି ବିଜ୍ଞାପନର ପ୍ରଚାର କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ। ସେମାନଙ୍କୁ ଅନ୍ୟ ବିଜ୍ଞାପନ ପାଇଁ ବାରଣ କରାଯାଇପାରିବ। ଯଦି କୌଣସି ଉତ୍ପାଦରେ ଅପମିଶ୍ରଣ କରାଯାଉଛି ତେବେ ସମ୍ପୃକ୍ତ ସଂସ୍ଥା ବା ଅନୁଷ୍ଠାନ ଅଥବା ବ୍ୟକ୍ତି ବିରୋଧରେ ୬ ମାସ ଯାଏ ଜେଲ୍ ଦଣ୍ଡ ସହ କମିଶନ ୧ ଲକ୍ଷ ଟଙ୍କା ଯାଏ ଜୋରିମାନା ଆଦେଶ ଜାରି କରିପାରିବେ। ଯଦି କମିଶନଙ୍କ ଆଦେଶକୁ କାର୍ଯ୍ୟକାରୀ କରା ନଯାଏ ତେବେ, ସମ୍ପୃକ୍ତ ପକ୍ଷଙ୍କୁ ୬ ମାସ ଜେଲ୍ ଦଣ୍ଡ ସହ ୨୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଜାରି କରାଯିବା ବ୍ୟବସ୍ଥା ରହିଛି। ଗ୍ରାହକଙ୍କ ସ୍ଵାର୍ଥ ବିରୋଧରେ କାର୍ଯ୍ୟକରୁଥିବା ଅଭିଯୋଗରେ ଉତ୍ପାଦର ପ୍ରସ୍ତୁତକର୍ତ୍ତାଙ୍କୁ ଜେଲ୍ ଦଣ୍ଡାଦେଶ ସହ ଜୋରିମାନା ଜାରି କରାଯିବ। ବିବାଦ ସମାଧାନ ପାଇଁ ନୂଆ ନୂଆ ମଧ୍ୟସ୍ଥତା ମଞ୍ଚ ତିଆରି ହେବ। ଏହି ପ୍ରକାର ବ୍ୟବସ୍ଥା ପଛରେ ଅଭିଯୋଗକୁ ତୁରନ୍ତ ସମାଧାନ କରିବାର ଆଗ୍ରହ ରହିଛି। କିନ୍ତୁ ଏହି ମଞ୍ଚ ଦ୍ଵାରା ନିର୍ଦ୍ଧାରିତ ସମୟରେ ଯଦି କୌଣସି ସମାଧାନ ହୋଇ ନପାରୁଛି ତେବେ ଜିଲ୍ଲାସ୍ତରର କମିଶନ, ରାଜ୍ୟସ୍ଥରୀୟ ଏବଂ ଜାତୀୟସ୍ତରୀୟ କମିଶନଙ୍କୁ ଆଦେବନ କରାଯାଇପାରିବ। ନୂଆ ବ୍ୟବସ୍ଥା ଅନୁସାରେ ଗ୍ରାହକଙ୍କୁ ଆଉ କୌଣସି ଅଦାଲତ ଯାଇ ଅଭିଯୋଗ ଦାଖଲ କରିବାକୁ ବାଧ୍ୟତାମୂଳକ ନାହିଁ। ସେମାନେ ଘରେ ବସି ଅନ୍ଲାଇନ୍ରେ ଅଭିଯୋଗ ଦାଖଲ କରିପାରିବେ। ମୋଟାମେଟି ଭାବେ କହିବାକୁ ଗଲେ ଏହି ଆଇନ ଗ୍ରାହକଙ୍କୁ ସୁବିଧା ଯୋଗାଇବା ଲାଗି ପ୍ରସ୍ତୁତ କରାଯାଇଛି।
୧୯୮୬ ଖାଉଟି ସୁରକ୍ଷା ଆଇନ ‘ଦ୍ରବ୍ୟ’ ଶବ୍ଦର ପ୍ରକୃତ ଅର୍ଥକୁ ବୟାନ କରିଥିଲା ଆଉ ଏହି ନୂଆ ଆଇନ ତାହାକୁ ଅଧିକ ଶାଣିତ କରିଛି। ଯଦି କୌଣସି କାରଣ ହେତୁ ଗ୍ରାହକଙ୍କୁ ସେବା ଯୋଗାଇବାରେ ବିଳମ୍ବ ହୋଇଛି ତେବେ ସେଥିଲାଗି କ୍ଷତିପୂରଣ ବ୍ୟବସ୍ଥା ଏହି ଆଇନରେ ରହିଛି। ଏହି ପରିପ୍ରେକ୍ଷୀରେ ଏକ ଉଦାହରଣ ପ୍ରଦାନ କରାଯାଇପାରେ। ତାହା ହେଲା ଲଳିତ କୁମାର ବନାମ କ୍ରିଷ୍ଣା ମାମଲା। ଏହି ମାମଲାର ବିଚାର କରି କୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ୩୫ ହଜାର ଟଙ୍କା ଜୋରିମାନା ଜାରି କରିଥିଲେ। ମାମଲା ଥିଲା ଯେ, ସମ୍ପୃକ୍ତ ସେବା ପ୍ରଦାନ ପାଇଁ ହୋଇଥିବା ଚୁକ୍ତି ଅନୁସାରେ ଗ୍ରାହକଙ୍କୁ ନିର୍ଦ୍ଧାରିତ ସମୟ ସୀମା ୪ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।
ଖାଉଟି ବିବାଦରେ ସମାଧାନର ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ ହେବା ଆବଶ୍ୟକ। ଏହାଦ୍ଵାରା ଉଭୟ ଉତ୍ପାଦକ ଏବଂ ବିକ୍ରେତାଙ୍କ ଉପରେ ଚାପ ରହିବ ଏବଂ ତାହା ସେମାନଙ୍କ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବ। ଏହି ପ୍ରସଙ୍ଗରେ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ କିଛି ଉତ୍ପାଦ, ଯାହା ସେମାନଙ୍କୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି, ସେଗୁଡ଼ିକର ବିଜ୍ଞାପନକୁ ନିୟନ୍ତ୍ରଣ ବାବଦରେ ଏକ ମତାମତ ସାମ୍ନାକୁ ଆସିଛି। ଏଣୁ ସରକାରଙ୍କ ଦ୍ଵାରା ପରିଚାଳିତ ଖାଉଟି ସୁରକ୍ଷା ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଖାଉଟି ସଚେତନତା ଶିବିର, କର୍ମଶାଳା ପ୍ରଭୃତି ଆୟୋଜନ ହେବା ଦରକାର। ସ୍କୁଲ୍, କଲେଜ ଏବଂ ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଏହିଭଳି କାର୍ଯ୍ୟକ୍ରମ ବିଶେଷ ଆବଶ୍ୟକ ରହିଛି। ଏଭଳି ବି ଅନୁଭବ ହୋଇଛି ଯେ,ବଜାରରେ ମିଳୁଥିବା ବିଭିନ୍ନ ଉତ୍ପାଦ ବିଶେଷକରି ଯେଉଁଗୁଡ଼ିକର ଗୁଣବତ୍ତା ନେଇ ପ୍ରଶ୍ନ ଉଠୁଛି ସେଗୁଡ଼ିକର ମାନ ପରୀକ୍ଷଣ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପରୀକ୍ଷାଗାର ସ୍ଥାପନ ହେବା ନିହାତି ଆବଶ୍ୟକ। ନିର୍ଦ୍ଧାରିତ ମାନଦଣ୍ଡର ପରୀକ୍ଷଣ ପରେ ସମ୍ପୃକ୍ତ ଉତ୍ପାଦଗୁଡ଼ିକୁ ବଜାରକୁ ଛାଡ଼ିବା ଉଚିତ ହେବ।
ଏସବୁ ବ୍ୟତିରକେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଗ୍ରାହକଙ୍କ ଭାଗିଦାରୀ । କିନ୍ତୁ ସରକାରଙ୍କ ପକ୍ଷରୁ ଆଇନ ପ୍ରଣୟନ ଏବଂ ତାହାର ରୂପାୟନ ନେଇ ସେମାନଙ୍କର ଅନେକ ଦ୍ଵନ୍ଦ୍ଵ ରହିଛି। ଏଦିଗରେ ସରକାରଙ୍କ ସଚ୍ଚୋଟପଣିଆ ଉପରେ ମଧ୍ୟ ଗ୍ରାହକଙ୍କ ସନ୍ଦେହ ରହିଛି। ଏସବୁକୁ ଦୂର ପାଇଁ ଧ୍ୟାନ ଦିଆଯିବା ଉଚିତ। କିନ୍ତୁ ସାମଗ୍ରିକଭାବେ ଦେଖିବାକୁ ଗଲେ ଏହି ନୂଆ ଆଇନ ଖାଉଟି ଅଧିକାର ଦିଗରେ ଏକ ସକାରାତ୍ମକ ପଦକ୍ଷେପ। ଗ୍ରାହକ ସେତେବେଳେ ଖୁସି ହେବେ ଯେତେବେଳେ ସେ ଆଣିଥିବା ଅଭିଯୋଗ ଠିକଣା ଭାବେ ଶୁଣାଯିବ ଏବଂ ତାହାର ସମାଧାନ କରାଯାଇ ଗ୍ରାହକଙ୍କୁ ଉଚିତ କ୍ଷତିପୂରଣ ମିଳିବ। ଅର୍ଥାତ୍ ଯେକୌଣସି ଆଇନକୁ ସେତେବେଳେ ଶକ୍ତ ବା ଦକ୍ଷ ବୋଲି କୁହାଯିବ ଯେତେବଳେ ଏହା ଯଥାଯୁକ୍ତ ଭାବେ ରୂପାୟନ ସହ ପ୍ରଭାବିତ ଅଭିଯୋଗକାରୀ ଏହାର ସୁଫଳ ପାଇପାରିବେ!!
(ଲେଖକ ଡି. ଏମ୍ ବୁକିୟା)