ନୂଆଦିଲ୍ଲୀ: ଭାରତରେ ଲଗାତାର 5 ମାସ ଧରି କମିଛି ରପ୍ତାନୀ । ଜୁଲାଇ ମାସରେ ରପ୍ତାନୀ କ୍ଷେତ୍ରରେ 10.21 ପ୍ରତିଶତ ହ୍ରାସ ହୋଇ 23.64 ଅରବ ଡଲାରରେ ପହଞ୍ଚିଛି । ଶୁକ୍ରବାର ଜାରି ଏକ ସରକାରୀ ରିପୋର୍ଟରୁ ଏ ନେଇ ସୂଚନା ମିଳିଛି ।
ଜୁଲାଇ ମାସରେ ରପ୍ତାନୀ ହ୍ରାସ ହେବାର ମୁଖ୍ୟ କାରଣ ପେଟ୍ରୋଲିୟମ , ଚମଡା ଏବଂ ରତ୍ନ ଆଭୂଷଣ ଆଦି ରପ୍ତାନୀ କମ ହୋଇଛି । ତେବେ ଗତ କିଛି ମାସ ଧରି ଏହି ସେକ୍ଟରରେ ହେଉଥିବା ହ୍ରାସକୁ ଦେଖିବାକୁ ଗଲେ ଜୁଲାଇ ମାସରେ ସାମାନ୍ୟ ସୁଧାର ଦେଖାଦେଇଛି ।
ଏହା ପୂର୍ବରୁ ରପ୍ତାନୀ ଏପ୍ରିଲରେ 60.28 ପ୍ରତିଶତ, ମେ’ ରେ 36.47 ପ୍ରତିଶତ ଓ ଜୁନ ମାସରେ 12.41 ପ୍ରତିଶତ ହ୍ରାସ ହୋଇଥିଲା । ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଆମଦାନୀ ମଧ୍ୟ 28.4 ପ୍ରତିଶତ ହ୍ରାସ ହୋଇ 28 .47 ଅରବ ଡଲାରରେ ପହଞ୍ଚିଛି । ଫଳରେ ବାଣିଜ୍ୟ ନିଅଣ୍ଟ କମ ହୋଇ 4.38 ଅରବ ଡଲାର ହୋଇଛି । ଜୁନ୍ ମାସରେ, 18 ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରେ ବାଣିଜ୍ୟ ନିଅଣ୍ଟ ନଥିଲା ।
ଜୁଲାଇ ମାସରେ ଅଶୋଧିତ ତୈଳ ଆମଦାନୀ 31.97 ପ୍ରତିଶତ ହ୍ରାସ ପାଇ 6.53 ଅରବ ଡ଼ଲାରରେ ପହଞ୍ଚିଛି। ତେବେ ଏହି ସମୟ ମଧ୍ୟରେ ସୁନା ଆମଦାନୀ 4.17 ପ୍ରତିଶତ ବୃଦ୍ଧି ହୋଇ 1.8 ବିଲିୟନ ଡ଼ଲାରରେ ପହଞ୍ଚିଛି।