ଭୁବନେଶ୍ବର: ଫେବୃଆରୀ 18 ତାରିଖରେ ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିବେ 2020-21 ବର୍ଷର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ । ଏହି ବଜେଟରେ ରାଜ୍ୟ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇପାରେ । ଏଣୁ ଓଡିଶାବାସୀଙ୍କ ନଜର ବଜେଟ ଉପରେ ରହିଛି । ତେବେ ଓଡିଶା ବଜେଟରେ ବିଭିନ୍ନ କଠିନ ଶବ୍ଦ ରହିଛି । ଆସନ୍ତୁ ନଜର ପକାଇବା ସେହି କଠିନ ଶବ୍ଦ ଗୁଡିକ ଉପରେ ।
ରାଜ୍ୟ ଘରୋଇ ଉତ୍ପାଦ: ରାଜ୍ୟର ଭୌଗଳିକ ସୀମା ଭିତରେ ଉତ୍ପାଦିତ ସାମଗ୍ରୀ ଏବଂ ସେବାର ମୋଟ ବଜାର ମୂଲ୍ୟକୁ ରାଜ୍ୟ ଘରୋଇ ଉତ୍ପାଦ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଏହାକୁ ପରିମାପ କରାଯାଇଥାଏ । ଏକ ରାଜ୍ୟର ଆର୍ଥିକ ଜୀବନ ମାନକୁ ଏହା ଦ୍ବାରା ଦର୍ଶାଯାଇଥାଏ ।
ଆର୍ଥିକ ଅଭିବୃଦ୍ଧି (Economic Growth): ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ତାହା ଦ୍ରବ୍ୟ ବା ସେବାର ବଜାର ମୂଲ୍ୟରେ ଖାପଖୁଆଇଲେ ତାହାକୁ ଆର୍ଥିକ ଅଭିବୃଦ୍ଧି କୁହାଯାଏ ।
ମୁଦ୍ରାସ୍ଫୀତି(Inflation): ଯେତେବେଳେ ରାଜ୍ୟରେ ଦ୍ରବ୍ୟ ବା ସେବାର ଦରବୃଦ୍ଧି ହୋଇଥାଏ ତାହାକୁ ମୁଦ୍ରାସ୍ଫୀତି କୁହାଯାଏ । ମୁଦ୍ରାସ୍ଫୀତି ହେଲେ ମୁଦ୍ରାର କିଣାମୂଲ୍ୟ ( Purchasing Power of money ) କମିଯାଇଥାଏ । ଏହା ରିଜର୍ଭ ବ୍ୟାଙ୍କ ଦ୍ବାରା ହିଁ ନିୟନ୍ତ୍ରିତ ହୋଇଥାଏ ।
ଆର୍ଥିକ ଘାଟା( Fiscal Deficit): ରାଜ୍ୟର ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ମୋଟ ଆୟ ଓ ମୋଟ ବ୍ୟୟ ଭିତରେ ରହିଥିବା ତାରତମ୍ୟକୁ ଆର୍ଥିକ ଘାଟା କୁହାଯାଏ । ଅର୍ଥାତ ସରକାର ଟିକସ ଆଦି ଜରିଆରେ ଯେତେ ଟଙ୍କା ଆଦାୟ କରୁଛନ୍ତି, ଯଦି ବିଭିନ୍ନ କ୍ଷେତ୍ରରେ ତା ଠାରୁ ଅଧିକ ଖର୍ଚ୍ଚ କରନ୍ତି, ତେବେ ସେ ଭିତରେ ଥିବା ପାର୍ଥକ୍ୟକୁ ହିଁ ଆର୍ଥିକ ଘାଟା କୁହାଯିବ ।
ଅର୍ଥ ବିଲ(Finance Bill): ବିଧାନସଭାରେ ଅର୍ଥବିଲ ଜରିଆରେ ବଜେଟ ଉପସ୍ଥାପନ କରାଯାଏ । ଯେପରି ନୂଆ କର ଲାଗୁ, କର ପ୍ରସ୍ତାବରେ ପରିବର୍ତ୍ତନ ବା ଚଳିତ କର ଢାଞ୍ଚାକୁ ଜାରି ରଖିବା ପାଇଁ ଆଦି ଯେଉଁ ସବୁ ଅର୍ଥବ୍ୟବସ୍ଥା ଜଡିତ ବିଧେୟକ ଅଣାଯାଏ ତାହାକୁ ଅର୍ଥବିଲ କୁହାଯାଏ ।
ରାଜସ୍ବ (Revenue): ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ଯେଉଁ ଆୟ କରିଥାନ୍ତି, ତାହାକୁ ରାଜସ୍ବ କୁହାଯାଏ । ବିଭିନ୍ନ ଟିକସ(ଖଜଣା,ଜଳକର, ଅବକାରୀ କର ଇତ୍ୟାଦି)ରୁ ସରକାର ରାଜସ୍ବ ଆଦାୟ କରିଥାନ୍ତି । ରାଜସ୍ବକୁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରାଯାଇଥାଏ ।
କ୍ଷେତ୍ରୀୟ ବିକାଶ( Sectoral development): କୃଷି କ୍ଷେତ୍ର, ପରିବହନ, ବିନିର୍ମାଣ, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ପରିଲକ୍ଷିତ ହେଲେ ତାହାକୁ କ୍ଷେତ୍ରୀୟ ବିକାଶ କୁହାଯାଏ । ସାଧାରଣତଃ ଅର୍ଥନୀତିରେ 3ଟି କ୍ଷେତ୍ର ପରିଲକ୍ଷିତ ହୋଇଥାଏ । ସେଗୁଡିକ ହେଲା- ପ୍ରାଥମିକ କ୍ଷେତ୍ର( କୃଷି, ଜଙ୍ଗଲ, ଖଣି ଆଦି କଞ୍ଚାମାଲ ଉତ୍ପାଦିତ କ୍ଷେତ୍ର ), ମାଧ୍ୟମିକ କ୍ଷେତ୍ର (ଶିଳ୍ପ ବା ଦ୍ରବ୍ୟ ପ୍ରସ୍ତୁତକାରୀ କ୍ଷେତ୍ର) ଓ ଶୀର୍ଷ କ୍ଷେତ୍ର ବା ସେବାକ୍ଷେତ୍ର( ପରିବହନ, ଯୋଗାଯୋଗ ଆଦି ସେବା ପ୍ରଦାନକାରୀ କ୍ଷେତ୍ର ) ।
ଯୋଜନା(Scheme): ସରକାର ରାଜ୍ୟର ବିଭିନ୍ନ ସମସ୍ୟା ସମାଧାନ ପାଇଁ ବିଭିନ୍ନ ଲକ୍ଷ୍ୟ ରଖିଥାନ୍ତି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପରିକଳ୍ପନା କରିଥାନ୍ତି । ଏହି ପରିକଳ୍ପନାର ରୂପରେଖକୁ ଯୋଜନା କୁହାଯାଇଥାଏ । ଏହା ଦ୍ବାରା ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯାଇଥାଏ ।
ରାଜ୍ୟ ଦ୍ରବ୍ୟ ଓ ସେବା କର (SGST):ରାଜ୍ୟ ମଧ୍ୟରେ ଯୋଗାଣ କରାଯାଉଥିବା ବିଭିନ୍ନ ଦ୍ରବ୍ୟ ଓ ସେବା ଗୁଡିକ ପାଇଁ ରାଜ୍ୟ ସରକାରଙ୍କୁ ଦ୍ରବ୍ୟ ଓ ସେବା କର ଦେବାକୁ ପଡିଥାଏ । ତାହାକୁ ରାଜ୍ୟ ଦ୍ରବ୍ୟ ଓ ସେବା କର କୁହାଯାଇଥାଏ । ଦ୍ରବ୍ୟ ଓ ସେବା କର ଆକ୍ଟ 8 ଅନୁସାରେ ଏହି କର 14 ପ୍ରତିଶତରୁ ଅଧିକ ହେବ ନାହିଁ ।
ପ୍ରତ୍ୟକ୍ଷ ଟିକସ( Direct Tax): କୌଣସି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାର ଆୟ ଉପରେ ଲାଗୁ ହେଉଥିବା ଟିକସକୁ ପ୍ରତ୍ୟକ୍ଷ ଟିକସ କୁହାଯାଏ । ଏହା ଅଧିନରେ ଆୟକର, କର୍ପୋରେଟ ଟିକସ ଆଦି ରହିଥାଏ ।
ପରୋକ୍ଷ ଟିକସ( Indirect Tax): ଉପଭୋକ୍ତା ବ୍ୟବହାର କରୁଥିବା ଦ୍ରବ୍ୟ ଓ ସେବା ଉପରେ ଆଦାୟ ଟିକସକୁ ପରୋକ୍ଷ କର କୁହାଯାଏ । ଏହାକୁ ସିଧାସଳଖ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଏନାହିଁ ।
ଆର୍ଥିକ ନୀତି( Fiscal Policy): ଆୟ ଓ ଖର୍ଚ୍ଚର ମୋଟକୁ ଯୋଡିବା ପାଇଁ ସରକାର ଆର୍ଥିକ ନୀତି ନିର୍ଦ୍ଧାରଣ କରନ୍ତି । ଆର୍ଥିକ ନୀତିକୁ ବଜେଟ ଜରିଆରେ ଲାଗୁ କରାଯାଏ । ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ଏହା ପ୍ରାଥମିକ ସାଧନ ହୋଇଥାଏ ।
ସେସ ବା ଉପକର: କୌଣସି ମୁଖ୍ୟ ଟିକସ ଉପରେ ଲଗାଯାଉଥିବା ଅତିରିକ୍ତ ଟିକସକୁ ଉପକର କୁହାଯାଏ । ବିଶେଷ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହାକୁ ଲଗାଯାଇଥାଏ । ଉଦାହରଣ: ପ୍ରାଥମିକ ଶିକ୍ଷା ଉପରେ ଅଲଗା ଖର୍ଚ୍ଚ ପାଇଁ ଶିକ୍ଷା ସେସ ଲଗାଯାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ