ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ ପରେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ମଧ୍ୟ ହ୍ରାସ କରିଛି ସୁଧ ହାର । ଶୁକ୍ରବାର ୟୁନିଅନ ବ୍ୟାଙ୍କ ତାର ବିଭିନ୍ନ ଅବଧି ପାଇଁ ମାର୍ଜିନାଲ ମୂଲ୍ୟ ଆଧାରିତ ସୁଧ ହାର (MCLR) 0.20 ପ୍ରତିଶତ ହ୍ରାସ ଘୋଷଣା କରିଛି ।
ନୂଆ ସୁଧ ହାର ଜୁଲାଇ 11 ରୁ ଲାଗୁ ହେବ । ବ୍ୟାଙ୍କ ଏକ ବିଜ୍ଞପ୍ତିରେ କହିଛି କି, ସଂଶୋଧିତ 1 ବର୍ଷୀୟ ଏମସିଏଲଆର 7.60 ପ୍ରତିଶତ ବଦଳରେ ଏବେ 7.40 ପ୍ରତିଶତ ହେବ । ସେହିପରି 3 ମାସ ଓ 6 ମାସର ଏମସିଏଲଆର ହ୍ରାସ ପାଇ କ୍ରମଶଃ 7.10 ପ୍ରତିଶତ ଓ 7.25 ପ୍ରତିଶତ କରାଯାଇଛି ।
ଗତ ବର୍ଷ ଜୁଲାଇରୁ ଲଗାତାର 13 ଥର ଧରି ବ୍ୟାଙ୍କ ସୁଧ ହାର ହ୍ରାସ କରୁଛି । ଏହା ପୂର୍ବରୁ ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ଶୁକ୍ରବାର ସ୍ବଳ୍ପ ଅବଧି ପାଇଁ ଏମସିଏଲଆରରେ 0.50 ରୁ 0.10 ପ୍ରତିଶତ ପର୍ଯ୍ୟନ୍ତ କମ କରିଥିଲା ।
ସେହିପରି ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟର ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ମଧ୍ୟ ସବୁ ଅବଧିର ଏମସିଏଲଆରରେ 0.25 ପ୍ରତିଶତ ହ୍ରାସ କରିଛି । ଚଳିତ ସପ୍ତାହ ଆରମ୍ଭରେ କାନାର ବ୍ୟାଙ୍କ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ମଧ୍ୟ ଏମସିଏଲଆର ହ୍ରାସ କରିଥିଲେ ।