ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଟାଟା ମୋଟର୍ସର ନୂଆ ଅଫର । କିଛି ସିଲେକ୍ଟ ମଡେଲ ପାଇଁ କମ୍ପାନୀ ଆଣିଛି 6 ମାସର ଇଏମଆଇ ହଲିଡେ ସ୍କିମ । ଟାଏଗୋ, ନେକ୍ସନ ଓ ଅଲ୍ଟ୍ରୋ ମଡେଲର କାର କିଣିବା ଉପରେ ଏହି ସ୍କିମ ଲାଗୁ ହେବ ।
କମ୍ପାନୀ ଏକ ବିବୃତ୍ତିରେ କହିଛି କି, ଏହି ସ୍କିମ ଅଧିନରେ ଗ୍ରାହକ ବିନା କୌଣସି ଅଗ୍ରିମ ରାଶି ପେମେଣ୍ଟ (ଜିରୋ ଡାଉନପେମେଣ୍ଟ)ରେ କାର କିଣିପାରିବେ । ଏଥିସହ ସେମାନଙ୍କୁ 5 ବର୍ଷ ଅବଧି ପାଇଁ ଗାଡିର ମୋଟ ଦାମ (ଅନ-ରୋଡ) ଉପରେ ଋଣ ସୁବିଧା ମିଳିବ । ଏଥିସହ ଗ୍ରାହକ 6 ମାସ ଇଏମଆଇ ଛୁଟିର ବିକଳ୍ପ (6 ମାସ ଯାଏଁ ଋଣ କିସ୍ତିରୁ ମୁକ୍ତି) ମଧ୍ୟ ଚୟନ କରିପାରିବେ । ତେବେ ସେମାନେ କେବଳ ସେହି ମାସର ସୁଧ ହିଁ ପ୍ରଦାନ କରିବେ ।
ଟାଟା ମୋଟର୍ସ କହିଛି ଯେ, Karur Vysya Bank (KVB) ସହଭାଗିତାରେ ଗ୍ରାହକଙ୍କୁ ଏହି ଅଫର ଦିଆଯାଇଛି। ବେତନ ଭୋଗୀ କିମ୍ବା ସ୍ବରୋଜଗାର କରୁଥିବା ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ ।
ଏହି ଯୋଜନା ବ୍ୟତୀତ କମ୍ପାନୀ ନିଜର ବିଭିନ୍ନ ଗାଡି ଋଣ ପାର୍ଟନରଙ୍କ ସହ ମିଶି 8 ବର୍ଷ ଅବଧି ଋଣ ମଧ୍ୟ ପ୍ରଦାନ କରୁଛି।