ହାଇଦ୍ରାବାଦ: ପ୍ରତିଟି ମଣିଷ ପାଇଁ ସଞ୍ଚୟ ଗୁରୁତ୍ବପୂର୍ଣ୍ଣ । ଅଧିକ ସଞ୍ଚୟ ଅର୍ଥ ନିରାପଦ ଜୀବନ । ଯଦିଓ ବୟସର ପ୍ରତିଟି ପାହାଚରେ ଭବିଷ୍ୟତ ଚିନ୍ତା ମଣିଷକୁ ବ୍ୟସ୍ତବିବ୍ରତ କରିଥାଏ କିନ୍ତୁ ବୃଦ୍ଧାବସ୍ଥା ପାଇଁ ସମସ୍ତେ ଟିକେ ଅଧିକ ଚିନ୍ତିତ ଥାଆନ୍ତି । ପ୍ରତ୍ୟେକ ବ୍ୟକ୍ତି ଜୀବନର ଏହି ପାହାଚରେ ଚିନ୍ତାମୁକ୍ତ ଜୀବନ ଜିଇଁବାକୁ ଚାହାଁନ୍ତି । ହେଲେ ଜଣେ ସେତେବେଳେ ଚିନ୍ତାମୁକ୍ତ ହୋଇପାରିବ ଯେତେବେଳେ ପକେଟ୍ରେ ଟଙ୍କା ଥିବ । ବିଶେଷକରି ଚାକିରିରୁ ଅବସର ପରେ ଏହି ଚିନ୍ତା ଅଧିକ ବ୍ୟଥିତ କରିଥାଏ ।
ଏପରି ସ୍ଥିତିରେ ସମସ୍ତେ ସେହି ବିକଳ୍ପକୁ ଖୋଜନ୍ତି ଯାହା ପୁଞ୍ଜି ଉପରେ ଭଲ ରିଟର୍ଣ୍ଣ ଦେଇଥାଏ ଏବଂ ଟଙ୍କା ସୁରକ୍ଷିତ ରଖିଥାଏ । ଯଦି ଆପଣଙ୍କ ବୟସ ୬୦ ବର୍ଷ ତେବେ ପୋଷ୍ଟ ଅଫିସର ଏକ ସଞ୍ଚୟ ଯୋଜନା(saving Scheme for senior citizens) ଆପଣଙ୍କ ଚିନ୍ତା ଦୂର କରିପାରିବ ।
ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(Senior Citizen Savings Scheme):
- ପୋଷ୍ଟ ଅଫିସ (Indian Post)ର ସିନିୟର ସିଟିଜେନ ସ୍କିମ ଏକ ଏଭଳି ସଞ୍ଚୟ ବିକଳ୍ପ ଅଟେ, ଏହା ଆପଣଙ୍କୁ ଆଖିଦୃଶିଆ ରିଟର୍ଣ୍ଣ ଦେବା ସଙ୍ଗେ ସଙ୍ଗେ ଜମାପୁଞ୍ଜି ମଧ୍ୟ ସୁରକ୍ଷିତ କରିଥାଏ । ଏହି ପୋଷ୍ଟ ଅଫିସ ସ୍କିମର ଅନେକଗୁଡିଏ ଫାଇଦା ରହିଛି । ଏହି ଯୋଜନା ପାଇଁ ଆପଣ ପୋଷ୍ଟ ଅଫିସ ସହ ବ୍ୟାଙ୍କରେ ମଧ୍ୟ ଆକାଉଣ୍ଟ ଖୋଲିପାରିବେ ।
ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାର ସୁବିଧା (Senior Citizen Savings Scheme detail):
- Senior Citizen Savings Schemeରେ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ ବୟସ ଅନୁନ୍ୟ ୬୦ ବର୍ଷ କିମ୍ବା ଏହାଠୁ ଊର୍ଦ୍ଧ୍ବ ହେବା ଜରୁରୀ ।
- ୫୫ ରୁ ୬୦ ବର୍ଷ ବୟସ୍କ ଅବସରପ୍ରାପ୍ତ ନାଗରିକମାନେ ଅବସରକାଳୀନ ସୁବିଧା ପାଇବାର ୧ ମାସ ମଧ୍ୟରେ ଏହି ଯୋଜନା ଅଧିନରେ ନିଜ ଆକାଉଣ୍ଟ ଖୋଲିପାରିବେ । ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଅବସର ଗ୍ରହଣ କରିବା ବା VRS ନେବା ସମୟରେ ଏହା କରାଯାଇପାରିବ ।
- ୫୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ୬୦ ବର୍ଷରୁ କମ୍ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ମଧ୍ୟ ଅବସରକାଳୀନ ଲାଭ ପାଇବାର ମାସକ ମଧ୍ୟରେ SCSS ଆକାଉଣ୍ଟ ଖୋଲିପାରିବେ ।
- ଏହି ସ୍କିମରେ ବର୍ତ୍ତମାନ ୭.୪ ପ୍ରତିଶତ ଦରରେ ସୁଧ ମିଳୁଛି, ଯାହା ଅନେକ ସଞ୍ଚୟ ଯୋଜନା ଅପେକ୍ଷା ଅଧିକ । ଏହି ସୁଧ ତ୍ରୟମାସ ଆଧାରରେ ମିଳିଥାଏ ଏବଂ ଭାରତ ସରକାର ଏହି ସୁଧ ଦର ପ୍ରତି ତ୍ରୟମାସରେ ସଂଶୋଧନ କରିଥାନ୍ତି । ୩୧ ଡିସେମ୍ବରରେ ଶେଷ ହେଉଥିବା ତ୍ରୟ ମାସ ପରେ ସରକାର ପୁନର୍ବାର ଦର ସଂଶୋଧନ କରନ୍ତି । ଯାହାପରେ ଏହି ସୁଧହାର ଅଧିକ କିମ୍ବା କମ୍ ନଚେତ୍ ୭.୪ ପ୍ରତିଶତ ରହିଥାଏ ।
- ସର୍ବନିମ୍ନ ୧୦୦୦ ଟଙ୍କାରେ ଏହି ସ୍କିମରେ ଆକାଉଣ୍ଟ ଖୋଲାଯାଏ ।
- ଏହି ଯୋଜନାର ଅଧିକତମ ସୀମା ୧୫ ଲକ୍ଷ ଟଙ୍କା ଅଟେ । ଅର୍ଥାତ୍ ୧୫ ଲକ୍ଷରୁ ଅଧିକ ଟଙ୍କା ଆପଣ ଜମା କରିପାରିବେ ନାହିଁ ।
- ଆପଣ ଆକାଉଣ୍ଟ ବ୍ୟତୀତ ସ୍ବାମୀ କିମ୍ବା ପତ୍ନୀଙ୍କ ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ । ହେଲେ ସବୁ ଆକାଉଣ୍ଟକୁ ମିଶାଇ ଜମା ରାଶି ୧୫ ଲକ୍ଷରୁ ଅଧିକ ଯେପରି ନ ହୁଏ । ଜଏଣ୍ଟ ଆକାଉଣ୍ଟ କ୍ଷେତ୍ରରେ ବୟସ ସୀମା କେବଳ ପ୍ରଥମ ଖାତାଧାରକଙ୍କ ଲାଗି ଲାଗୁ ହୁଏ ।
- SCSS ନିୟମ ଅନୁସାରେ, ମୂଳଧନ ଉପରେ ମିଳୁଥିବା ସୁଧ ରାଶି ଉପରେ କୌଣସି ସୁଧ ମିଳିନଥାଏ । ଅର୍ଥାତ୍ ପ୍ରତି ତ୍ରୟ ମାସରେ ନିର୍ଦ୍ଧିଷ୍ଟ ସୁଧରାଶି ମିଳିବ ହେଲେ ଖାତାଧାରକ ଏହି ରାଶିକୁ ଯଦି ଉଠାଣ ନ କରନ୍ତି ତେବେ ଏହା ଉପରେ କୌଣସି ସୁଧ ଦିଆଯିବ ନାହିଁ । ଉଦାହରଣ ସୂରୁପ, ଧରାଯାଉ ଆପଣ ଏହି ସ୍କିମରେ ୧୦ ଲକ୍ଷ ନିବେଶ କରୁଛନ୍ତି । ତେବେ ୫ ବର୍ଷରେ ଆପଣଙ୍କୁ ୩,୭୦,୦୦୦ ଟଙ୍କା ସୁଧ ମିଳିବ । ଅର୍ଥାତ୍ ଆପଣ ମୋଟ ୧୩,୭୦,୦୦୦ ଟଙ୍କା ପାଇବେ ।
- SCSSରେ ନିବେଶ କଲେ ଆୟକର ଆକ୍ଟର ଧାରା ୮୦ ଅନ୍ତର୍ଗତ ହିତାଧିକାରୀଙ୍କୁ ଟ୍ୟାକ୍ସ ଛାଡ ହୋଇଥାଏ । ଯଦି କୌଣସି ଆର୍ଥିକ ବର୍ଷରେ ସମସ୍ତ SCSS ଆକାଉଣ୍ଟରେ ମୋଟ ସୁଧହାର ୫୦ ହଜାରରୁ ଅଧିକ ହୁଏ ତେବେ, ଏ କ୍ଷେତ୍ରରେ ଏହି ରାଶି ଉପରେ ଟ୍ଯାକ୍ସ ଲାଗିଥାଏ ।
- ଏହି ଯୋଜନାର ମ୍ୟାଚୁରିଟି ପିରିୟଡ ୫ ବର୍ଷ ଅଟେ । ହେଲେ ଆପଣ ଚାହିଁଲେ ସମୟସୀମା ବଢାଇ ପାରିବେ । ମ୍ୟାଚୁରିଟି ପରେ ଏହାକୁ ୩ ବର୍ଷ ପାଇଁ ଆପଣ ବଢାଇପାରିବେ । ଏପରିସ୍ଥଳେ ମ୍ୟାଚୁରିଟି ସମୟରେ ଏହି ଯୋଜନା ଅନ୍ତର୍ଗତ ମିଳୁଥିବା ସୁଧର ଲାଭ ଆଗାମୀ ବର୍ଷରେ ମିଳିଥାଏ ।
- ଏହି ଯୋଜନାରେ ଆପଣ ଏକ ବା ଏକାଧିକ ନୋମିନି ନାମ ମଧ୍ୟ ଉଲ୍ଲେଖ କରିପାରିବେ । ଭବିଷ୍ୟତରେ କୌଣସି ନୋମିନି ନାମ ପରିବର୍ତ୍ତନ କରିପାରିବେ କିମ୍ବା ହଟାଇ ପାରିବେ ମଧ୍ୟ ।
- SCSS ଆକାଉଣ୍ଟରୁ ଏକାଧିକ ଥର ଉଠାଣ ଅନୁମତି ନଥାଏ । ତ୍ରୟ ମାସରେ ଆକାଉଣ୍ଟ ଧାରକଙ୍କୁ ସୁଧ ମିଳିଥାଏ । ମୂଳଧନ ମ୍ୟାଚୁରିଟି ହେବା ପରେ ହିଁ ପାଇଥାନ୍ତି ହିତାଧିକାରୀ ।
ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କଣ ଆକାଉଣ୍ଟ ବନ୍ଦ କରାଯାଇପାରିବ (SCSS Premature closure Rules)
କୌଣସି ଅପ୍ରତ୍ୟାଶିତ ସ୍ଥିତିର ମୁକାବିଲା ପାଇଁ ଟଙ୍କା ଆବଶ୍ୟକ ହେଲେ ଆମେ ନିଜର ନିବେଶ ତଥା ସଞ୍ଚୟ ଯୋଜନାରୁ ଟଙ୍କା ଉଠାଇଥାଉ, ଯଦିଓ ତାହା ପରିପକ୍ବ ହୋଇନଥାଏ । ଏଣୁ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ବଭାବିକ ଯେ, SCSS ଆକାଉଣ୍ଟରୁ କ'ଣ ୫ ବର୍ଷ ପୂର୍ବରୁ ପଇସା ଉଠାଣ କରିହେବ ? କହିରଖୁଛ କି, ଆପଣ ଏହା କରିପାରିବେ ମାତ୍ର ଏଥିପାଇଁ ୧% ରୁ ୧.୫% ଯାଏଁ କ୍ଷତି ସହିବାକୁ ପଡିପାରେ ।
- SCSS ଖାତାଧାରକ କୌଣସି ସମୟରେ ଆକାଉଣ୍ଟ ବନ୍ଦ କରିପାରିବେ । ହେଲେ ଯଦି ଆପଣ ପ୍ରଥମ ବର୍ଷ ଆକାଉଣ୍ଟ ବନ୍ଦ କରୁଛନ୍ତି ତେବେ ଆପଣଙ୍କୁ କୌଣସି ସୁଧ ମିଳିବ ନାହିଁ । ତ୍ରୟ ମାସ ଆଧାରରେ ଯଦି ବି କୌଣସି ସୁଧ ପାଇଥିବେ, ତାହାର ଭରଣା ଆପଣଙ୍କ ମୂଳଧନରୁ କରାଯିବ ।
- ଯଦି ଆକାଉଣ୍ଟ ଖୋଲିବାର ବର୍ଷକ ପରେ କିମ୍ବା ଦୁଇ ବର୍ଷ ପୂର୍ବରୁ ବନ୍ଦ କରାଯାଏ ତେବେ ମୂଳଧନରୁ ୧.୫% କାଟି ନିଆଯାଇଥାଏ ।
- ଯଦି ଦୁଇ ବର୍ଷ ପରେ ଏବଂ ୫ ବର୍ଷ ପୂର୍ବରୁ ଆକାଉଣ୍ଟ ବନ୍ଦ ହୁଏ ତେବେ ମୂଳରାଶିରୁ 1% ପ୍ରତିଶତ ରାଶି କାଟ କରାଯାଏ ।
- ୫ ବର୍ଷର ପରିପକ୍ବତା ପରେ ବି ଯଦି ଆପଣ ୩ ବର୍ଷ ଅଧିକ ଯୋଜନା ବିସ୍ତାର କରୁଛନ୍ତି ତେବେ ଏହାର ଏକ ବର୍ଷ ପରେ ଅର୍ଥାତ୍ ୬ ବର୍ଷ ପରେ ଆପଣ ଯେକୌଣସି ସମୟରେ ପଇସା ଉଠାଇଲେ କୌଣସି କାଟ କରାଯାଏ ନାହିଁ ।