ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଓ ପେନସନ ଭୋଗୀ ଖୁସିଖବର । 4 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା ପ୍ରାୟ 32 ଲକ୍ଷ କର୍ମଚାରୀ ଓ 25 ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ଏହି ନିଷ୍ପତ୍ତିରେ ସେନା ଓ ସୁରକ୍ଷାବଳର କର୍ମଚାରୀ ମଧ୍ୟ ସାମିଲ ରହିଛନ୍ତି । ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା 17ରୁ 21 ପ୍ରତିଶତ ହେବ । ଫଳରେ କର୍ମଚାରୀଙ୍କ ଦରମା 720 ଟଙ୍କାରୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ବଢିବ । ଏହା ପୂର୍ବରୁ ରାଜ୍ୟସଭାରେ ଲିଖିତ ଜବାବ ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଜଣାଇଥିଲେ ଯେ, ମାର୍ଚ୍ଚ ମାସ ଦରମା ସହ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା ମିଳିବ ।
କର୍ମଚାରୀଙ୍କ ଜୀବନଜାପନକୁ ସରଳ ଓ ସୁଗମ କରିବା ପାଇଁ ମହଙ୍ଗା ଭତ୍ତା ଦିଆଯାଏ । ପୂରା ଦୁନିଆକୁ ଦେଖିବାକୁ ଗଲେ କେବଳ ଭାରତ, ପାକିସ୍ତାନ ଓ ବାଂଲାଦେଶ ହିଁ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳୁଛି । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମହଙ୍ଗା ଭତ୍ତାର ଆରମ୍ଭ କରାଯାଇଥିଲା ।
ସୂଚନା ଅନୁଯାୟୀ, ଶୁକ୍ରବାର ବସିଥିବା ଏହି କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଥିରେ ୟେସ ବ୍ୟାଙ୍କ ପୁନଃନିର୍ମାଣ ଯୋଜନାକୁ ମଞ୍ଜୁରୀ ମିଳିଛି । ଏଥିସହ ଅର୍ଥବ୍ୟବସ୍ଥାରେ ହେଉଥିବା କ୍ଷତି ସମ୍ବନ୍ଧରେ ମଧ୍ୟରେ ବୈଠକରେ ଆଲୋଚନା କରାଯାଇଛି ।