ନୂଆଦିଲ୍ଲୀ: ଜାନୁଆରୀ 31 ଓ ଫେବୃଆରୀ ପହିଲାରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିଅନ । ଭାରତୀୟ ବ୍ୟାଙ୍କ ସଂଘ ସହ ଦରମା ବୃଦ୍ଧି ନେଇ ହୋଇଥିବା ଆଲୋଚନା ବିଫଳ ହେବା ପରେ ସଂଘ ପକ୍ଷରୁ ଏନେଇ ନିର୍ଣ୍ଣୟ ନିଆଯାଇଛି ।
ସେପଟେ ଫେବୃଆରୀ 2ରେ ରବିବାର ହୋଇଥିବାରୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଲଗାତାର 3 ଦିନ ବ୍ୟାଙ୍କ ବନ୍ଦର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବା ସହ କାରବାର କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବଡ କଥା ହେଉଛି ଫେବୃଆରୀ ପହିଲାରେ ବଜେଟ ଉପସ୍ଥାପନ ହେବାକୁ ଥିବା ବେଳେ ବ୍ୟାଙ୍କ ବନ୍ଦ ରହିବ ।
9 ଟ୍ରେଡ ୟୁନିଅନର ପ୍ରତିନିଧିତ୍ବ କରୁଥିବା ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ(ୟୁଏଫବିୟୁ) କହିଛି ଯେ, 11ରୁ 13 ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟ 3 ଦିନ ଧରି ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରିବେ । ସେହିପରି ହକ ଦାବିରେ ଏପ୍ରିଲ ପହିଲାରୁ ଅନିଶ୍ଚିତକାଳ ଧର୍ମଘଟ ପାଇଁ ନିର୍ଣ୍ଣୟ ନିଆଯାଇଛି ବୋଲି ୟୁଏଫବିୟୁର ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ଖାନ କହିଛନ୍ତି ।
ୟୁଏଫବିୟୁ ଦରମା ସର୍ବନିମ୍ନ 15 ପ୍ରତିଶତ ବୃଦ୍ଧି ନେଇ ଦାବି ହୋଇଛି । ହେଲେ ଆଇବିଏ ଏହି ସୀମାକୁ 12.25 ପ୍ରତିଶତ ବୃଦ୍ଧି ନେଇ ସୀମା ଧାର୍ଯ୍ୟ କରିଛି । ଯାହାକି ସ୍ବୀକାର ନୁହେଁ ବୋଲି ଖାନ କହିଛନ୍ତି । ପ୍ରକାଶ ଯେ, ବେତନ ସଂଶୋଧନକୁ ନେଇ ଜାନୁଆରୀ 13 ରେ ବୈଠକ ବସିଥିଲା ।