ୱାଶିଂଟନ: 90 ଦିନ ଭିତରେ ଆମେରିକାରେ ରହିଥିବା ଲୋକପ୍ରିୟ ମୋବାଇଲ ଆପ ଟିକଟକର ସବୁ ସମ୍ପତ୍ତିକୁ ବିକ୍ରି କରିବା ପାଇଁ ଚୀନ କମ୍ପାନୀ ବାଇଟଡ୍ୟାନ୍ସକୁ ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଶୁକ୍ରବାର ଜାରି କରାଯାଇଥିବା ଆଦେଶରେ ଟ୍ରମ୍ପ କହିଛନ୍ତି ଯେ, ଏମିତି କିଛି ବିଶ୍ୱସନୀୟ ପ୍ରମାଣ ମିଳିଛି ଯେଉଁଥିରୁ ଜଣାପଡୁଛି କି ଚୀନ କମ୍ପାନୀ ବାଇଟଡ୍ୟାନ୍ସ ଏପରି କାର୍ଯ୍ୟ କରିପାରିବେ ଯଦ୍ବାରା ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ ।
ଗତ ସପ୍ତାହରେ ଟ୍ରମ୍ପ ଟିକଟକ ଓ ମେସେଜିଂ ଆପ ୱିଚାଟର ମାଲିକାନା ରଖୁଥିବା ଚୀନ ୟୁନିଟ ବିରୋଧରେ ପ୍ରତିବନ୍ଧକ ନେଇ ଏକ ବଡ ଆଦେଶ ଜାରି କରିଥିଲେ । କିନ୍ତୁ ସମ୍ପୂର୍ଣ୍ଣ ବ୍ୟାନ ନେଇ କିଛି ସ୍ପଷ୍ଟ କରିନଥିଲେ ।
ବର୍ତ୍ତମାନ ଟ୍ରମ୍ପ ଏହି ଆପର ପରିଚାଳନାକୁ ରାଷ୍ଟ୍ରୀୟ ସୁରକ୍ଷା ଓ ବିଦେଶୀ ନୀତି ଏବଂ ଅର୍ଥବ୍ୟବସ୍ଥା ପାଇଁ ବିପଦ ଦର୍ଶାଇଛନ୍ତି । ବର୍ତ୍ତମାନ ଏହା ସ୍ପଷ୍ଟ ନୁହେଁ କି ଏହି ଆଦେଶ ଟିକଟକର 10 କୋଟି ଆମେରିକୀୟ ୟୁଜର୍ସ ଉପରେ ଏହାର କଣ ପ୍ରଭାବ ପଡିବ । ୟୁଜର୍ସଙ୍କ ମଧ୍ୟରେ ଅଧିକାଂଶ ଯୁବପୀଢି ଅଛନ୍ତି । ଯେଉଁମାନେ ମୋବାଇଲରେ ଛୋଟ ଭିଡିଓ କ୍ଲିପ ପଠାଇବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି ।