ନୂଆଦିଲ୍ଲୀ: କୋରୋନା ମହାମାରୀ ମାଡରେ ଦୁର୍ବଳ ରାଜ୍ୟ ଅର୍ଥନୀତି । କାରବାର ନଥିବା ଯୋଗୁଁ ଟିକସ ଆଦାୟ ହ୍ରାସ ଯୋଗୁଁ ରାଜ୍ୟର ରାଜକୋଷ ରୁଗ୍ଣ ହୋଇପଡିଛି । ରାଜ୍ୟଗୁଡିକର ଆର୍ଥିକ ସ୍ଥିତି ବିଗିଡିଯାଇଛି ।
ଏଥିଯୋଗୁଁ 2020-21 ଆର୍ଥିକ ବର୍ଷରେ ଟିକସ ରାଜସ୍ବ ବାବଦରେ ରାଜ୍ୟମାନଙ୍କୁ 3 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ । ଦେଶର ସର୍ବବୃହତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଆର୍ଥିକ ଗବେଷଣା ବିଭାଗ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏନେଇ ଅନୁମାନ କରାଯାଇଛି ।
ପ୍ରଥମ ତ୍ରୟମାସରେ ଏସଜିଏସଟି (ରାଜ୍ୟର ଦ୍ରବ୍ୟ ଓ ସେବା କର) ଅନୁମାନରେ ସବୁ କ୍ଷତି ( ଭାଟ, excise, stamps and registration)କୁ ଯୋଡିଲା ପରେ ଜଣାପଡିଛି କି ପ୍ରମୁଖ ରାଜ୍ୟକୁ ପାଖାପାଖି 1.2 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିପାରେ । ବାର୍ଷିକ ଏହା 3 ଲକ୍ଷ କୋଟି ଟଙ୍କା କ୍ଷତି ହେବ ବୋଲି ଦର୍ଶାଇ ବିଭାଗ ନିଜ ଗବେଷଣା ରିପୋର୍ଟ ଇକୋରାପ କହିଛି ।
ଆକଳନ ଅନୁସାରେ କେନ୍ଦ୍ର ଠାରୁ ରାଜ୍ୟ ପାଉଥିବା ରାଜସ୍ବ ବାବଦରେ 1.5 ଲକ୍ଷ କୋଟି ଟଙ୍କା ହରାଇବେ । ସେହିଭଳି ରାଜ୍ୟର ମୋଟ ଅତିରିକ୍ତ ବ୍ୟୟ 1.7 ଲକ୍ଷ କୋଟି ଟଙ୍କାକୁ ହିସାବରୁ ନେଲେ ପ୍ରମୁଖ ରାଜ୍ୟଗୁଡିକର ମୋଟ କ୍ଷତି ପାଖାପାଖି 6.2 ଲକ୍ଷ କୋଟି ଟଙ୍କା ରହିବ ବୋଲି ଏସବିଆଇ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷ କହିଛନ୍ତି ।