ନୂଆଦିଲ୍ଲୀ: ବିଶ୍ବ ସ୍ତରରେ ମାନ୍ଦାବସ୍ଥା ଭିତରେ ନାଲି ସଙ୍କେତରେ ଖୋଲିଲା ସେୟାର ବଜାର । ସୋମବାର ସକାଳୁ ସେନସେକ୍ସ 190 ପଏଣ୍ଟ ଖସି କାରବାର ଆରମ୍ଭ କରିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ସେୟାର ସୂଚକାଙ୍କ ହ୍ରାସ ପାଇଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 190.83 ପଏଣ୍ଟ ଖସି 37,194.1 ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 55.80 ପଏଣ୍ଟର କମି 11,020.10 ରେ କାରବାର କରୁଛି ।
ଗତ ଶୁକ୍ରବାର , ବିଏସଇ ପାରାମିଟର 280.71 ପଏଣ୍ଟ ବୃଦ୍ଧି ପାଇ 37,384.99ରେ ବନ୍ଦ ହୋଇଥିଲା ବେଳେ ଏନଏସଇ 93.10ପଏଣ୍ଟ ବଢି 11,075.90ରେ ବନ୍ଦ ହୋଇଛି। ଶନିବାର ସାଉଦି ଆରବର ପୂର୍ବାଞ୍ଚଳ ସ୍ଥିତ 2ଟି ବୃହତ ତୈଳ ପ୍ରକ୍ରିୟାକରଣ କାରଖାନା ଉପରେ ବଡ଼ଧରଣର ଡ୍ରୋନ ଆକ୍ରମଣ ହୋଇଥିଲା।
ଯାହା ଫଳରେ ଏହି କାରଖାନାର ଉତ୍ପାଦନ 50 ପ୍ରତିଶତ କମିଛି । ଏପେଟ ଚାହିଦା ଅନୁଯାୟୀ ଯୋଗାଣ ହ୍ରାସ ପାଉଥିବାରୁ ସୋମବାର ଅଶୋଧିତ ତୈଳ 10 ପ୍ରତିଶତ ବଢିଛି । ଯାହା ଦ୍ବାରା ସମଗ୍ର ବିଶ୍ବ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି।