ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜମାଣିଆ ହେଉଛି ରିଅଲ ଇଷ୍ଟେଟ ବିଜନେସ । ମହାରାଷ୍ଟ୍ର ସରକାରଙ୍କ ଷ୍ଟାମ୍ପ ଶୁଳ୍କ ରିହାତି ପରେ ବଢିଛି ଘର କ୍ରୟ ଚାହିଦା । ଏପଟେ ପାର୍ବଣ ମଧ୍ୟ ଥିବାରୁ ମୁମ୍ବାଇରେ ନଭେମ୍ବର ମାସରେ 9,301 ଘର ପଞ୍ଜିକରଣ ହୋଇଛି ।
ସମ୍ପତ୍ତି ପରାମର୍ଶଦାତା କମ୍ପାନୀ ନାଇଟ ଫ୍ରାଙ୍କ ଅନୁସାରେ ଏହା ଗତ 9 ବର୍ଷର ସର୍ବୋଚ୍ଚ ସ୍ତର ଓ ବାର୍ଷିକ ଆଧାରରେ 67 ପ୍ରତିଶତ ବୃଦ୍ଧି ଅଟେ । ନାଇଟ ଫ୍ରାଙ୍କ ଏକ ବିବୃତ୍ତିରେ କହିଛି ଯେ, 2020 ନଭେମ୍ବରରେ 9,301 ଘର ପଞ୍ଜିକରଣ ହୋଇଛି । ରେକର୍ଡ ଅନୁସାରେ ଗତ 9 ବର୍ଷ ତୁଳନାରେ ନଭେମ୍ବର ମାସରେ ସବୁଠୁ ଅଧିକ ଘରର ପଞ୍ଜିକରଣ ହୋଇଛି ।
ନଭେମ୍ବରରେ ଘର ପଞ୍ଜିକରଣ ମାସିକ ଆଧାରରେ 17 ପ୍ରତିଶତ ଓ ବାର୍ଷିକ ଆଧାରରେ 67 ପ୍ରତିଶତ ବଢିଛି । ନାଇଟ ଫ୍ରାଙ୍କ ଇଣ୍ଡିଆର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଶିଶିର ବେଜଲ କହିଛନ୍ତି ଯେ, ‘‘ ଷ୍ଟାମ୍ପ ଶୁଳ୍କ ଉପରେ ଏକ ସୀମିତ ଅବଧି ପାଇଁ ରିହାତି ପରେ ମୁମ୍ବାଇରେ ଘର ବିକ୍ରି ଦ୍ରୁତ ଗତିରେ ବଢିଛି । ଏହା ବ୍ୟତିତ ପାର୍ବଣ ଋତୁ, ଘର ଋଣ ଉପରେ ସର୍ବନିମ୍ନ ସୁଧ , ଓ ବିଭିନ୍ନ ପ୍ରୋତ୍ସାହନ ମଧ୍ୟ ଘର ବିକ୍ରିକୁ ବଢାଇବାରେ ସହଯୋଗ କରିଛି ।
ପ୍ରକାଶ ଯେ, ମହାରାଷ୍ଟ୍ର ସରକାର ମୁମ୍ବାଇରେ ଘର ବିକ୍ରି ବଢାଇବା ପାଇଁ ଷ୍ଟାମ୍ପ ଶୁଳ୍କରେ 3 ପ୍ରତିଶତ ରିହାତି ଦେଇଛନ୍ତି । ଅଧିକ ବିଲ୍ଡର ଷ୍ଟାମ୍ପ ଶୁଳ୍କ ଉପରେ ବଳକା 2 ପ୍ରତିଶତ ଦେବାକୁ ଅଫର ଦେଇଛନ୍ତି । ଏଣୁ ରିଅଲ ଇଷ୍ଟେଟ ବଜାରରେ ବିକ୍ରି ଭଲ ରହିଛି ।