ନୂଆଦିଲ୍ଲୀ: ଋଣ ପ୍ରଦାନ କ୍ଷମତା ବୃଦ୍ଧି କରିବାକୁ ବ୍ୟାଙ୍କକୁ କହିଲେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ପୁଞ୍ଜି ବୃଦ୍ଧି ଏବଂ ଏକ ଜରୁରୀକାଳୀନ କ୍ଷମତା, ଋଣ କ୍ଷମତାକୁ ମଜବୁତ କରିବା ପାଇଁ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡିକୁ ଦାସ ପରାମର୍ଶ ଦେଇଛନ୍ତି । ବୁଧବାର ପ୍ରକାଶିତ ବିବୃତ୍ତିରେ କେନ୍ଦ୍ରୀୟ ବ୍ୟାଙ୍କ ଏନେଇ ସୂଚନା ଦେଇଛି ।
ସାର୍ବଜନିକ ଓ ଘରୋଇ କ୍ଷେତ୍ରର ବ୍ୟାଙ୍କ ପ୍ରମୁଖଙ୍କ ସହ 2 ଦିନର ବୈଠକ ସମୟରେ ଗଭର୍ଣ୍ଣର ସତର୍କ ରହିବାକୁ ଓ ବୁଡିଯାଇଥିବା ଋଣ ବିରୋଧରେ ତ୍ବରାନିତ ପୁଞ୍ଜି ଯୋଗାଣ ଉପରେ ଜୋର ଦେଇଥିଲେ ।
ଏଭଳି ପ୍ରକାର ବୈଠକ ଶକ୍ତିକାନ୍ତ ଦାସ ମେ’ ମାସରେ ମଧ୍ୟ କରିଥିଲେ । ଏଥିସହ ଦାସ ଅନ୍ୟ ଆର୍ଥିକ ସଂସ୍ଥାନ ଯେପରି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି) ତଥା ସୁକ୍ଷ୍ମ ଆର୍ଥିକ କମ୍ପାନୀ ସହ ମଧ୍ୟ ବୈଠକ କରିଥିଲେ । ରିଜର୍ଭ ବ୍ୟାଙ୍କ ବିବୃତ୍ତି ଜାରି କରି କହିଛି କି, ‘‘ଶକ୍ତିକାନ୍ତ ଦାସ ମଙ୍ଗଳବାର ଓ ବୁଧବାରକୁ ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କ ତଥା ସିଲେକ୍ଟ ଘରୋଇ କ୍ଷେତ୍ରର ବ୍ୟାଙ୍କ ପରିଚାଳକ ନିର୍ଦ୍ଦେଶକ ଓ ମୁଥ୍ୟ କାର୍ଯ୍ୟପାଳକ ଅଧିକାରୀ (ସିଇଓ) ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ବୈଠକରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମଧ୍ୟ ସାମିଲ ଥିଲେ । ବୈଠକ ମଧ୍ୟରେ ଗଭର୍ଣ୍ଣର ବର୍ତ୍ତମାନର ଆର୍ଥିକ ସ୍ଥିତି ପ୍ରସଙ୍ଗ ଉଠାଇ ଆର୍ଥିକ ଗତିବିଧିର ପୁନଃରୁଦ୍ଧାରରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ଭୂମିକାକୁ ଗୁରୁତ୍ବପୂର୍ଣ୍ଣ ଦର୍ଶାଇଛନ୍ତି ।
ବୈଠକରେ ବର୍ତ୍ତମାନର ଆର୍ଥିକ ସ୍ଥିତି ଓ ଦୃଷ୍ଟିକୋଣ, ମୁଦ୍ରାନୀତିରେ କରାଯାଇଥିବା ଉପାୟର ଲାଭ ଗ୍ରାହକଙ୍କୁ ସ୍ଥାନାନ୍ତରିତ କରିବା ଓ ସରଳତା ସ୍ଥିତିରେ ମଧ୍ୟ ଚର୍ଚ୍ଚା ହୋଇଛି । ବୈଠକରେ ବିଭିନ୍ନ ସେକ୍ଟର ଯେପରି ଚାପଗ୍ରସ୍ତ ଆର୍ଥିକ ସେକ୍ଟର, ଏମଏସଏମଏଇକୁ ଋଣ ପ୍ରବାହ ଆଦି ଉପରେ ବିଚାର ହୋଇଛି ।