ହାଇଦ୍ରାବାଦ: କୋରୋନା ସଙ୍କଟ ଓ ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଅନେକ କିଛି ବଡ ଘୋଷଣା କରିଛି । ରିଭର୍ସ ରେପୋ ରେଟରେ 25 ବେସିସ ଅଙ୍କ ହ୍ରାସ କରାଯାଇଛି । ବର୍ତ୍ତମାନ ରିଭର୍ସ ରେପୋ ରେଟ 4 ପ୍ରତିଶତରୁ ଖସି 3.75 ପ୍ରତିଶତ ହୋଇଛି । ଆରବିଆଇର ଏହି ନିଷ୍ପତ୍ତି ଦ୍ବାରା ଏହା ପାଖରେ ଜମା ରହିଥିବା ଟଙ୍କା ପାଇଁ କମ ସୁଧ ମିଳିବ । ଏହି ଦୃଷ୍ଟିରୁ ବ୍ୟାଙ୍କଗୁଡିକ ଏବେ ଅନ୍ୟ ସ୍ଥାନରେ ନିଜ ଟଙ୍କା ନିବେଶ ପାଇଁ ପ୍ରୟାସ କରିବେ । ଫଳରେ ବଣ୍ଡ୍ସ ମାର୍କେଟରେ ଅଭିବୃଦ୍ଧି ଆସିବା ଆଶା ରହିଛି । ଏହାସହ ବ୍ୟାଙ୍କ ପାଖରେ ଅଧିକ ଲିକ୍ୟୁଡିଟି ମଧ୍ୟ ରହବ । ଅର୍ଥାତ ସେମାନଙ୍କ ପାଖରେ ଅଧିକ ଟଙ୍କା ରହିବ । ଏହି କାରଣରୁ ସାଧାରଣ ଲୋକଙ୍କୁ ମଧ୍ୟ ଅଧିକ ଋଣ ଦେବାକୁ ବ୍ୟାଙ୍କ ସକ୍ଷମ ହେବ । ସେପଟେ ଆରବିଆଇ ରୋପୋରେଟ ଦରକୁ ହ୍ରାସ କରିଦେଇଥିବାକୁ ବ୍ୟାଙ୍କ ବି କମ ସୁଧରେ ଋଣ ଆଣି ଗ୍ରାହକଙ୍କୁ ଯୋଗାଇବ । ଫଳରେ ବ୍ୟାଙ୍କର କ୍ଷମତା ବଢିବ ଏବଂ ଗ୍ରାହହ କମ ସୁଧରେ ଋଣ ପାଇବେ । ଅର୍ଥବ୍ୟବସ୍ଥାରେ ଉପଯୋଗୀତା(କଞ୍ଜମ୍ପସନ) ବଢିବ ।
କୋରୋନା ସଙ୍କଟ ମଧ୍ୟରେ ଦେଶର ଆର୍ଥିକ ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ରିଜର୍ଭ ବ୍ୟାଙ୍କ ସକ୍ରିୟ ରହିଥିବା ବେଳେ ସ୍ଥିତି ଉପରେ ନଜର ରଖିଛି । ପୂର୍ବରୁ 27 ମାର୍ଚ୍ଚରେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ରେପୋ ରେଟରେ 0.75 ପ୍ରତିଶତର ବଡ ହ୍ରାସ ନେଇ ଘୋଷଣା କରିଥିଲେ ଶକ୍ତିକାନ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ