ନୂଆଦିଲ୍ଲୀ: ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଫଲୋୟର୍ସ ସଂଖ୍ୟା ଟ୍ବିଟରରେ 10 ଲକ୍ଷ ଛୁଇଁଛି । ଲୋକପ୍ରିୟ ରିଜର୍ଭ ବ୍ୟାଙ୍କ ଭାବେ ଆରବିଆଇ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ଏବଂ ୟୁପୋରିଆନ ସେଣ୍ଟ୍ରାଲ ବ୍ୟାଙ୍କକୁ ପଛରେ ପକାଇଛି ।
ଏବେ ସୁଦ୍ଧା ଟ୍ବିଟରର ଫଲୋୟର୍ସ ସଂଖ୍ୟା 10 ଲକ୍ଷରେ ପହଞ୍ଚିଛି । ସେପ୍ଟେମ୍ବର 27 ସୁଦ୍ଧା ରିଜର୍ଭ ବ୍ୟାଙ୍କ ଫଲୋୟର୍ସ ସଂଖ୍ୟା 9.66 ଲକ୍ଷ ଥିଲା । ତେବେ ଆରବିଆଇର ଏହି ଉପଲବ୍ଧି ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ନିଜ ଟ୍ବିଟର ଆକାଉଣ୍ଟରେ ରବିବାର ଜଣାଇଛନ୍ତି କି, ଆଜି ଆରବିଆଇ ଟ୍ବିଟର ଫଲୋଅର 10 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ଏଥିପାଇଁ ବ୍ୟାଙ୍କରେ ଥିବା ମୋର ସମସ୍ତ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି ।
ସେପଟେ ବିଶ୍ବର ସବୁଠୁ ଶକ୍ତିଶାଳୀ କେନ୍ଦ୍ରୀୟ ବ୍ୟାଙ୍କ ଆମେରିକା ଫେଡେରାଲ ରିଜର୍ଭ ଟ୍ବିଟର ଆକାଉଣ୍ଟର ଫଲୋଅର ସଂଖ୍ୟା କେବଳ 6.67 ଲକ୍ଷ ରହିଛି । ସେହିପରି ଫ୍ରାଙ୍କଫର୍ଟ ଭିତ୍ତିକ ୟୁପୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ (ଇସିବି)ର ଫଲୋଅର ସଂଖ୍ୟା 5.91 ଲକ୍ଷ ଅଛି ।
1935 ମସିହା ଏପ୍ରିଲ ପହିଲାରେ ଆରବିଆଇର ସ୍ଥାପନା ହୋଇଥିଲା ବେଳେ ଏବେ ଏହାକୁ 85 ବର୍ଷ ପୂରିଛି । 2012 ମସିହାରେ ଏହାର ଟ୍ବିଟର ଆକାଉଣ୍ଟ ଖୋଲିଥିଲା । ତେବେ କୋଭିଡ-19 ଲକଡାଉନ ସମୟରେ ଆରବିଆଇର ଫଲୋୟର୍ସ ସଂଖ୍ୟା ଦେଢ ଲକ୍ଷରୁ ଅଧିକ ବଢିଥିଲା । ଏବେ ଦିନକୁ ଦିନ ଏହାର ଫଲୋଅର ସଂଖ୍ୟା ବୃଦ୍ଧି ପାଉଛି ।