ନୂଆଦିଲ୍ଲୀ: କୋରେନା ଭାଇରସ ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପି ଲାଗୁ ଲକଡାଉନ ଯୋଗୁଁ ପ୍ରଭାବିତ ଆର୍ଥିକ କାର୍ଯ୍ୟକଳାପ । କୃଷି କ୍ଷେତ୍ରରେ ମଧ୍ୟରେ ଏହାର ପ୍ରକୋପ ଦେଖିବାକୁ ମିଳିଛି । ଏସବୁକୁ ନଜରରେ ରଖି ସରକାର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧିନରେ ଦିଆଯାଉଥିବା ରାଶିକୁ ବଢାଇ 15 ହଜାର କରିବା ଦରକାର । ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଏ ନେଇ ପରାମର୍ଶ ଦେଇଛି ।
ପିଏମ କିଶାନ ଯୋଜନା ଅଧିନରେ ଚାଷୀଙ୍କୁ 3 କିସ୍ତିରେ ବର୍ଷକୁ 6 ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଯାଇଥାଏ । ପ୍ରଖ୍ୟାତ କୃଷି ବୈଜ୍ଞାନିକ ଏମ.ଏସ ସ୍ବାମୀନାଥନଙ୍କ ନେତୃତ୍ବାଧୀନ ସ୍ବାମୀନାଥନ ଫାଉଣ୍ଡେସନ ଏକ ବିବୃତ୍ତିରେ କହିଛି ଯେ, ଏଭଳି ସଙ୍କଟରେ ଏହି ସ୍କିମର ଟଙ୍କା ବର୍ତ୍ତମାନର କ୍ଷତିର ଭରଣ ଓ ଆଗାମୀ ଫସଲ ବୁଣିବା କାମ ପାଇଁ ପର୍ଯ୍ୟପ୍ତ ନୁହେଁ ।
ଏଥିସହ ଫାଉଣ୍ଡେସନ ଦର୍ଶାଇଛି ଯେ, ବଗିଚା କ୍ଷେତ୍ରରେ ପରିବା ଓ ଫଳ ଶୀଘ୍ର ଖରାପ ହେବାର ସମ୍ବାବନା ରହିଥାଏ । ଏଣୁ ଏହାର ବିତରଣ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ଦରକାର । ସେହିଭଳି ଚାଷ କ୍ଷେତରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ଗ୍ରାମରେ ରୋଜଗାରର ସୁଯୋଗ ଏତେଟା ମିଳୁନାହିଁ । ଏଥିଲାଗି ସେମାନଙ୍କ ପାଇଁ ମଧ୍ୟ ସୁରକ୍ଷାର ପର୍ଯ୍ୟପ୍ତ ଉପାୟ ଆଣିବା ଦରକାର ରହିଛି ।
ପିଟିଆଇ