ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ ପରେ ସାଧାରଣ ଲୋକେ ଯେତିକି ଟେନସନରେ ସରକାର ମଧ୍ୟ ସେତିକି ଦ୍ବନ୍ଦରେ । ଲୋକେ ଗାଡି ଧରି ଘରୁ ବାହାରିବାକୁ ଡରୁଛନ୍ତି । କାଳେ କେଉଁ ନିୟମ ଧରିପକାଇଲେ ଗଣିବାକୁ ପଡିବ ବଡ ତଣ୍ଡ । ଏଥିପାଇଁ ରାସ୍ତାରେ ଗାଡି ଗଡିବା କମିଗଲାଣି । ପେଟ୍ରୋଲ ଓ ଡିଜେଲ ପମ୍ପରେ ବି ଶୂନଶାନ । ଫଳରେ ଦିନକୁ ଦିନ ତେଲ ବିକ୍ରି କମିବାରେ ଲାଗିଛି ।
ଜାଣି ଆଶ୍ଚର୍ଯ୍ୟ ହେବେ ନୂଆ ନିୟମ ପରେ ରାଜ୍ୟ ରାଜସ୍ବ ପାଖାପାଖୀ 5 କୋଟି ଟଙ୍କା ହ୍ରାସ ପାଇଲାଣି । ଦୈନିକ 4ଲକ୍ଷ 8ହଜାର ଲିଟର ପେଟ୍ରୋଲ ଓ 12ଲକ୍ଷ 45 ହଜାର ଲିଟର ଡିଜେଲ ବିକ୍ରି କମିଛି । ଫଳରେ ଦିନକୁ ପେଟ୍ରୋଲ ବାବଦରେ 58ଲକ୍ଷ ଓ ଡିଜେଲ ପାଇଁ 1 କୋଟି 78 ଲକ୍ଷ କ୍ଷତି ସହୁଛନ୍ତି ସରକାର । ସେହିପରି ଏହାର ପ୍ରଭାବରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦକୁ ଦୈନିକ ପ୍ରାୟ 1 କୋଟି 97ଲକ୍ଷ ଟଙ୍କା ହରାଉଛନ୍ତି । ଏ ନେଇ ଉତ୍କଳ ପେଟ୍ରୋଲ ଡିଲର ଆସୋସିଏନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ତଥ୍ୟ ଦେଇଛନ୍ତି ।
ସେହିପରି ମଦ ବେପାର ମଧ୍ୟ ପ୍ରଭାବିତ ହେଉଛି । ଘନଘନ ଚଢାଉ ଓ ମୋଟା ଅଙ୍କର ଜୋରିମାନା ପରେ ବାରରେ ଅଧା ମଦ କାରବାର ଠପ୍ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ