ନୂଆଦିଲ୍ଲୀ: ବିଶ୍ବର ଅଷ୍ଟମ ଧନୀ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ । ହୁରୁନ ଗ୍ଲୋବାଲ ରିଚ ଲିଷ୍ଟ 2021 ରେ ଏ ନେଇ ତଥ୍ୟ ସାମ୍ନାକୁ ଆସିଛି ।
ଗତ ଏକ ବର୍ଷରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି 24 ପ୍ରତିଶତ ବୃଦ୍ଧି ଏବେ 83 ଅରବ ଡଲାରରେ ପହଞ୍ଚିଛି । ଯାହାକି ଭାରତୀୟ ମୁଦ୍ରାରେ 6.09 ଲକ୍ଷ କୋଟି ଟଙ୍କା ରହିଛି ।
ତେବେ ହୁରୁନ ରିଚ ଲିଷ୍ଟ 2021ରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ଅରବପତିଙ୍କ ମଧ୍ୟରେ ଗୌତମ ଆଦାନୀ ଏବଂ ପରିବାର (2.34 ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ) 48 ନମ୍ବରରେ ରହିଛି । ଶିବ ନାଦର ଏବଂ ପରିବାର ( 1.94 ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ) 58 ରାଙ୍କରେ ରହିଛି । ସେହିଭଳି ଲକ୍ଷ୍ମୀ ଏନ ମିତ୍ତଲ (1.40 ଲକ୍ଷ କୋଟି ଟଙ୍କା ସହ) 104 ରାଙ୍କରେ, ସାଇରସ ପୁନାୱାଲା (1.35 ଲକ୍ଷ କୋଟି ଟଙ୍କା ସହ ) 113 ନମ୍ବରରେ ଅଛନ୍ତି ।
ହୁରୁନର ଲିଷ୍ଟ ଅନୁସାରେ ଏବେ ଭାରତରେ 209 ଅରବପତି ରହିଛନ୍ତି । ଏଥିମଧ୍ୟରୁ 177 ଭାରତରେ ହିଁ ରହୁଛନ୍ତି । ସେହିପରି ଆମେରିକାରେ ଅରବପତିଙ୍କ ସଂଖ୍ୟା 689 ହୋଇଛି । ଭାରତରେ ଗତ ବର୍ଷ 50 ଲୋକ ବିଲିୟନାରୀ କ୍ଲବରେ ସାମିଲ ହୋଇଥିଲେ । ସେଭଳି ଭାବେ ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ ଗ୍ରୋଥ Zscaler ର ଜୟ ଚୌଧୁରୀଙ୍କ ରେକର୍ଡ ହୋଇଛି । ତାଙ୍କ ସମ୍ପତ୍ତି 271 ପ୍ରତିଶତ ବୃଦ୍ଧି ହୋଇ 96000 କୋଟି ଟଙ୍କା ହୋଇଛି । ଜୟ ଚୌଧୁରୀ ପରେ ଆଦାନୀ ଗ୍ରୁପର ବିନୋଦ ଶାନ୍ତିଲାଲ ଆଦାନୀ ରହିଛନ୍ତି । ତାଙ୍କ ସମ୍ପତ୍ତି 128 ପ୍ରତିଶତ ବଢି 72000 କୋଟି ଟଙ୍କା ହୋଇଛି ।
ସେପଟେ ହୁନୁର ଗ୍ଲୋବାଲ ରିଚ ଲିଷ୍ଟ 2021 ର ଶୀର୍ଷରେ ଟେସଲାର ଏଲନ ମସ୍କ ରହିଛନ୍ତି । ତାଙ୍କ ସମ୍ପତ୍ତି 1 ବର୍ଷ ଭିତରେ 328 ପ୍ରତିଶତ ବଢି 197 ଅରବ ଡଲାର ହୋଇଛି । କେବଳ 1 ବର୍ଷରେ ମସ୍କଙ୍କ ସମ୍ପତ୍ତିରେ 151 ଅରବ ଡଲାର ବୃଦ୍ଧି ହୋଇଛି । ହୁରୁନ ଲିଷ୍ଟରେ ସାମିଲ 3 ଲୋକ ଏଭଳି ଅଛନ୍ତି, ଯେଉଁମାନେ କେବଳ 1 ବର୍ଷରେ ନିଜର ସମ୍ପତ୍ତି ପରିମାଣ 50 ଅରବ ଡଲାର ବଢାଇଛନ୍ତି । ଏଥିରେ ଏଲନ ମସ୍କ ଙ୍କ ବ୍ୟତିତ ଆମଜାନର ଜେଫ ବେଜୋସ ଓ Colin Huang ସାମିଲ ଅଛନ୍ତି । ବେଜୋସ ଓ ହୁଆଙ୍ଗ ଉଭୟଙ୍କ ସମ୍ପତ୍ତି 50-50 ଅରବ ଡଲାର ବଢିଛି ।