ନୂଆଦିଲ୍ଲୀ: ଚୀନ ଆପ ବ୍ୟାନ ପରେ ସରକାର ଆରମ୍ଭ କରିଥିବା ଆତ୍ମନିର୍ଭର ଭାରତ ଆପ ଚ୍ୟାଲେଞ୍ଜକୁ ମିଳୁଛି ଜବରଦସ୍ତ ପ୍ରତିକ୍ରିୟା । ଏହାକୁ ଦୃଷ୍ଟିରେ ରଖି ଏଥିରେ ଏଣ୍ଟ୍ରି ପଠାଇବା ସମୟସୀମାକୁ ଜୁଲାଇ 26 ରୁ ବଢାଇଦିଆଯାଇଛି । ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ବିବୃତ୍ତି ଅନୁସାରେ, ଚୟନ ହୋଇଥିବା 8 ବର୍ଗରେ ଏପର୍ଯ୍ୟନ୍ତ 2,353 ଟି ଏଣ୍ଟ୍ରି ଗ୍ରହଣ କରାଯାଇଛି । ଏସବୁ ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।
ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ବିଟ କରି କହିଛନ୍ତି କି, ‘‘ ଆପ ଡେଭଲପର୍ସ ଓ ଇନୋଭଟର୍ସଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହକୁ ଧ୍ୟାନରେ ରଖି ଏହି # ଆତ୍ମନିର୍ଭର ଆପ ଇନୋଭେସନ ଚ୍ୟାଲେଞ୍ଜ ପାଇଁ ଏଣ୍ଟ୍ରି ଜମା କରିବାର ସମୟସୀମାକୁ 2020 ଜୁଲାଇ 20କୁ ବଢାଯାଉଛି । ’’
ଏହି ଚ୍ୟାଲେଞ୍ଜକୁ MyGOVର ଇନୋଭେଟ ପୋର୍ଟାଲରେ ହୋଷ୍ଟ କରାଯାଇଛି । ଏଣ୍ଟ୍ରି ଜମା କରିବା ସମୟସୀମା ପୂର୍ବରୁ ଜୁଲାଇ 18 ତାରିଖ ଥିଲା । ଯାହାକୁ ଏବେ ବଢାଇଦିଆଯାଇଛି ।
ଚୀନ ଆପ୍ ବ୍ୟାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆତ୍ମନିର୍ଭର ଭାରତ ଇନୋଭେସନ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ସ୍ଥାନୀୟ ସ୍ତରରେ ରହିଥିବା ଷ୍ଟାର୍ଟଅପକୁ ବିଶ୍ବ ସ୍ତରରେ ପରିଚିତ କରିବା ପାଇଁ ସ୍ବଦେଶୀ ଆପ ତିଆରି କରିବାକୁ ପିଏମ ଯୁବପୀଢିଙ୍କୁ ଆହ୍ବାନ ଦେଇଛନ୍ତି । ତେବେ ଏହି କ୍ଷେତ୍ରରେ ଡେଭରପର୍ସଙ୍କୁ ଆଉ କିଛି ସମୟ ଦେବା ପାଇଁ କେନ୍ଦ୍ର ସରକାର ଏହାର ଏଣ୍ଟ୍ରି ଦାଖଲ ତାରିଖକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ।
ଇଚ୍ଛୁକ ଡେଭଲପର୍ସ innovate.mygov.inରେ ରେଜିଷ୍ଟ୍ରର କରି ଚ୍ୟାଲେଞ୍ଜକୁ ଗ୍ରହଣ କରି ଏସମ୍ବନ୍ଧରେ ଅଧିକ ସୂଚନା ପାଇପାରିବ ।