ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାର୍ଟଫର୍ମ ଟ୍ବିଟରକୁ ନେଇ ବଢୁଥିବା ବିବାଦ ମଧ୍ୟରେ ସ୍ବଦେଶୀ ସୋସିଆଲ ମିଡିଆ ଆପ ‘କୁ’(Koo) ମିଳିଛି କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ସରକାରୀ ବିଭାଗର ସମର୍ଥନ । ଏହା ପରରୁ 'କୁ'ର ୟୁଜର୍ସଙ୍କ ସଂଖ୍ୟା ତୀବ୍ର ବେଗରେ ବଢିଚାଲିଛି । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଟ୍ବିଟର ବିଷୟରେ ନିଜର ଦୃଷ୍ଟିକୋଣକୁ ଜଣାଇବା ପାଇଁ 'କୁ' ର ବ୍ୟବହାର କରିଛି ।
ମନ୍ତ୍ରାଳୟ ଟ୍ବିଟରରୁ ଅନେକ କଥିତ ବିବାଦୀୟ ତଥ୍ୟକୁ ପ୍ରତ୍ୟାହୃତ ପାଇଁ ଆଦେଶ ଦେଇଥିଲା । ଯାହାକୁ ଏବେ ଟ୍ବିଟର ସମ୍ପୂର୍ଣ୍ଣ ଭାବେ ପାଳନ କରିନାହିଁ । ଏପଟେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଓ ପୀୟୁଷ ଗୋୟଲ ଭଳି କିଛି ମନ୍ତ୍ରୀ ଲୋକଙ୍କୁ 'କୁ' ର ବ୍ୟବହାର ପାଇଁ ଅପିଲ କରିଛି । ଯାହା ଫଳରେ ‘କୁ’ ର ୟୁଜର୍ସ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି । ଫଳରେ ଟ୍ବିଟର ଭଳି କାମ କରୁଥିବା ‘କୁ’ ର ସୋସିଆଲ ନେଟୱର୍କ ପ୍ଲାର୍ଟଫର୍ମରେ ଏବେ 30 ଲକ୍ଷରୁ ଅଧିକ ୟୁଜର୍ସ ଅଛନ୍ତି । କୁ ଆପର ଡାଉନଲୋଡ ଚଳିତ ସପ୍ତାହରେ 10 ଗୁଣା ବଢିଛି । ‘କୁ ’ର ଲୋଗୋରେ ଟ୍ବିଟରରେ ନୀଳ ପକ୍ଷୀର ବିପରୀତ ଏକ ହଳଦିଆ ପକ୍ଷୀ ରହିଛି ।
‘କୁ’ର ସହ ପ୍ରତିଷ୍ଠାତା ମୟଙ୍କ ବିଦାୱାତକ (Mayank Bidawataka ) ପିଟିଆକୁ କହିଛନ୍ତି କି, ‘‘ ଆମ ପାଖରେ ପ୍ରା. 15 ଲକ୍ଷ ସକ୍ରିୟ ୟୁଜର୍ସ ସମେତ ମୋଟ 20 ଲକ୍ଷରୁ ଅଧିକ ୟୁଜର୍ସ ଥିଲେ । ଏବେ ଆମେ 30 ଲକ୍ଷ ମାର୍କ ପାର କରିସାରିଲୁଣି । ’’
ଟ୍ବିଟରର 1.75 କୋଟି ୟୁଜର୍ସ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଟ୍ବିଟରର ବ୍ୟବହାର କରି ଜନତାଙ୍କୁ ସୂଚନା ଦେଉଛନ୍ତି । ତେବେ ଏଥିମଧ୍ୟରେ ବଡ କଥା ଯେ, ‘କୁ’ର କୋ ଫାଉଣ୍ଡର ଅପ୍ରମେୟ ରାଧାକୃଷ୍ଣ ନିଜ ପ୍ଲାର୍ଟଫର୍ମର ଲୋକପ୍ରିୟତା ବିଷୟରେ ଜଣାଇବାକୁ ଟ୍ବିଟରର ବ୍ୟବହାର କରି ଲେଖିଛନ୍ତି କି, ‘‘ ଆମ ସିଷ୍ଟମ ପୂର୍ବରୁ ଅଧିକ ଲୋଡର ସାମ୍ନା କରୁଛି । ଆମ ଉପରେ ବିଶ୍ବାସ ରଖିବାକୁ ଧନ୍ୟବାଦ । ’’