ନୂଆଦିଲ୍ଲୀ: ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପୁଣି ନିଜ ସ୍ଥାନ ଅକ୍ତିଆର କଲେ ଆମାଜନ ମୁଖ୍ୟ ଜେଫ ବେଜୋସ । ବିଶ୍ବର 1 ନମ୍ବର ଧନୀ ଥିବା ଏଲନ ମସ୍କଙ୍କ କମ୍ପାନୀ ଟେସଲା ସେୟାର ଷ୍ଟକ ବଜାରରେ ହ୍ରାସ ହେବା ଯୋଗୁଁ ସେ ଏହି ଧନୀ ତାଲିକାରୁ ତଳକୁ ଖସିଛନ୍ତି । ଆଉ ଏଥିସହ ପୁଣି ଥରେ ଧନୀ ତାଲିକାରେ ଆଗୁଆ ହେଲେ ଜେଫ ବେଜୋସ ।
ଟେସଲା ସେୟାରରେ ମଙ୍ଗଳବାର 2.4 ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି । ଆଉ ମସ୍କଙ୍କୁ 4.6 ଅରବ ଡଲାରର କ୍ଷତି ହୋଇଛି । ଯାହା ଦ୍ବାରା ସେ ଦୁନିଆର 500 ସବୁଠୁ ଧନୀ ଲୋକଙ୍କ ରାଙ୍କିଙ୍ଗରେ ବ୍ଲୁମବର୍ଗ ବିଲିୟେନୟର୍ସ ଇଣ୍ଡେକ୍ସରେ ଦ୍ବିତୀୟ ସ୍ଥାନକୁ ଖସିଯାଇଛନ୍ତି ।
ସେପଟେ ବେଜୋସ 191.2 ଅରବ ଡଲାର ସମ୍ପତ୍ତି ସହ ଦୁନିଆର ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି । ଗତ ମାସରେ ମାସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଥିଲେ , ହେଲେ ଟେସଲାର ସେୟାର ଦାମ ବଢିବା ପରେ ତାଙ୍କ ସମ୍ପତ୍ତି 185 ଅରବ ଡଲାର ପାର କରିଥିଲା । ଏହା ପରେ ସେ ବେଜୋସଙ୍କ ସ୍ଥାନ ନେବା ସହ ବିଶ୍ବର 1 ନମ୍ବର ଧନୀ ଖିତାବ ହାତେଇଥିଲେ ।
ବେଜୋସ 2017 ରୁ ସବୁଠୁରୁ ଧନୀ ବ୍ୟକ୍ତି ଭାବେ ଏହି ତାଲିକାର ଶୀର୍ଷରେ ରହିଆସୁଥିଲେ । ପ୍ରକାଶ ଯେ, ବିଶ୍ବର 50 ଧନୀକ ବ୍ୟକ୍ତିଙ୍କୁ ନେଇ ବ୍ଲୁମବର୍ଗ ବିଲିୟେନାରୀ ଇଣ୍ଡେକ୍ସ ପ୍ରସ୍ତୁତ ।