ଭାରତ ଏବେ ଚୀନ ଉପରେ ନିର୍ଭର କରିବା ଉଚିତ ନୁହେଁ: ଗଡକରୀ - ବଏକଟ ଚୀନ ସାମଗ୍ରୀ
ଚୀନ ସାମଗ୍ରୀ ବର୍ଜନ ନେଇ ଶିଳ୍ପକୁ ପରାମର୍ଶ ଦେଇଛନ୍ତି ଗଡକରୀ । ଇ-ଯାନ କମ୍ପାନୀଗୁଡିକ ଚୀନର ଉପକରଣକୁ ବ୍ୟବହାର ଦ୍ବାରା ଭବିଷ୍ୟତରେ କେଉଁ ସବୁ ସମସ୍ୟା ଭୋଗିବାକୁ ପଡିବ ସେନେଇ ମତ ରଖିଛନ୍ତି ନୀତିନ ଗଡକରୀ । ଅଧିକ ପଢନ୍ତୁ..
ନୂଆଦିଲ୍ଲୀ: ଭାରତକୁ ଏବେ ଚୀନ ଉପରେ ଆଉ ନିର୍ଭର କରିବା ଦରକାର ନୁହେଁ । ବରଂ ଏହା ବଦଳରେ ଘରୋଇ ବିନିର୍ମାଣକୁ ଅଧିକ ଗତିଶୀଳ କରିବାକୁ ଅନୁସନ୍ଧାନ ଏବଂ ଅଭିନବତା( କିଛି ସ୍ବତନ୍ତ୍ର କରିବା) ଉପରେ ଧ୍ୟାନ ଦେବା ଉଚିତ। ଚୀନ ସାମଗ୍ରୀ ବର୍ଜନ ଅଭିଯାନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏ ନେଇ ମତ ବାଢିଛନ୍ତି ।
ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି ସରକାର ଆମଦାନୀ ପ୍ରତିସ୍ଥାପନ ପାଇଁ ଏକ ନୂତନ ନୀତି ତିଆରି ପାଇଁ କାମ କରୁଛନ୍ତି । ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ସଂଘର୍ଷର ନୂଆ ଶିଖରରେ ପହଞ୍ଚିଲା ବେଳେ ମନ୍ତ୍ରୀ ଏଭଳି ଟିପ୍ପଣୀ ପ୍ରକାଶ କରିଛନ୍ତି । ଭାରତରେ କୋରୋନା ଭାଇରସ ମହାମାରୀ ପରେ ଇଲେକ୍ଟ୍ରିକ ଯାନର ପୂରରେଖ ଉପରେ ଏକ ୱେବିନାରକୁ ସମ୍ବୋଧନ କରି କେନ୍ଦ୍ର ସଡକ ଓ ପରିବହନ ଓ ରାଜମାର୍ଗ ତଥା ଏମଏସଏମଇ ମନ୍ତ୍ରୀ କହିଛନ୍ତି କି ‘‘ ମୁଁ ଭାବୁଛି ସମୟ ଆସିଛି, ଯାହା ମୁଁ ସିଧାସଳଖ ଆପଣଙ୍କୁ କହିବାକୁ ଚାହେଁ କାରଣ ପୂର୍ବରୁ ଏହି ଶବ୍ଦ ବ୍ୟବହାର କରୁ ନଥିଲି, ଆମେ ଆଉ ଚୀନ୍ ଉପରେ ନିର୍ଭର କରିବା ଉଚିତ ନୁହେଁ ।
ଗଡକରୀ କହିଛନ୍ତି , ଯଦିଓ ବର୍ତ୍ତମାନ ଚୀନ ସାମଗ୍ରୀ ଦାମ ଆକର୍ଷଣୀୟ ଓ ଭାରତୀୟ ଇ-ଯାନ କମ୍ପାନୀଗୁଡିକ କିଛି ଅଂଶ ଆମଦାନୀ କରି ଭଲ ପ୍ରଫିଟ କମାଉଛନ୍ତି , ହେଲେ ଦେଶରେ ସ୍ଥାନୀୟ ସ୍ତରରେ ସମସ୍ତ ଜିନିଷ ଉତ୍ପାଦନ କରିବା ଆବଶ୍ୟକ ରହିଛି । ଏହା ବିନା ଆମ ପାଖରେ ଭଲ ଭବିଷ୍ୟତ ନାହିଁ , ଅନ୍ୟଥା ସେମାନେ (ଚାଇନିଜ୍ କମ୍ପାନୀଗୁଡିକ) ଆରମ୍ଭରେ ଯୁକ୍ତିଯୁକ୍ତ ରିହାତି ଦେଇପାରିବେ ଏବଂ ଯେତେବେଳେ ଆପଣଙ୍କ ଶିଳ୍ପ ଭଲ ଉତ୍ପାଦନ ପାଇବ ସେତେବେଳେ ସେମାନେ ଅଧିକ ଶୁଳ୍କ ନେବେ । ଫଳରେ ଏହା ପୁଣି ଏକ ସମସ୍ୟା ଭାବେ ମୁଣ୍ଡ ଟେକିବ । ତେଣୁ ସବୁକିଛି ଉପରେ ଆତ୍ମନିର୍ଭରଶୀଳତା ଏହି ଶିଳ୍ପ ପାଇଁ ସଫଳତାର ଚାବିକାଠି ହେବ ।
ସେ କହିଛନ୍ତି ଯେ, 5 ବର୍ଷ ମଧ୍ୟରେ ଭାରତ ଇ-ଯାନ ଉତ୍ପାଦନ ହବ ହେବ । କୋରୋନା ମହାମାରୀ ପରେ ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ ସୁଯୋଗକୁ ହାତେଇବାକୁ ସେ ଅନୁରୋଧ କରିଛନ୍ତି। ଗଡକରୀ ଜଣାଇଛନ୍ତି କି , ସରକାର ଇ-ଯାନ ଉପରେ ଜିଏସଟି ହ୍ରାସ କରି 12 ପ୍ରତିଶତ ରଖିଛନ୍ତି ।