ନୂଆଦିଲ୍ଲୀ: 2026ରେ ଜର୍ମାନୀକୁ ଓ 2034 ସୁଦ୍ଧା ଜାପାନକୁ ପଛରେ ପକାଇବ ଭାରତ । ଅଭିବୃଦ୍ଧି ସହ ବିଶ୍ବର ଚତୁର୍ଥ ବୃହତ୍ତ ଅର୍ଥନୀତି ହେବ ଦେଶ । ବ୍ରିଟେନ ସ୍ଥିତ ସେଣ୍ଟର ଫର ଇକୋନୋମିକ୍ସ ଆଣ୍ଡ ବିଜନେସ ରିସର୍ଚ୍ଚ (ସିଇବିଆର)ର ସଦ୍ୟ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।
ରିପୋର୍ଟ ମୁତାବକ, 2026 ସୁଦ୍ଧା ଭାରତ ଅର୍ଥନୀତି ଆକାର 5 ଟ୍ରିଲିୟନ ଡଲାରରେ ପହଞ୍ଚିବା ପାଇଁ ମଧ୍ୟ ପ୍ରସ୍ତୁତ । ‘ବିଶ୍ବ ଅର୍ଥନୀତି ଲିଗ ଟେବଲ 2020’ ରିପୋର୍ଟରେ କୁହାଯାଇଛି ଯେ, 2019ରେ ଦୁନିଆର ପଞ୍ଚମ ବୃହତ୍ତ ଅର୍ଥନୀତି ହେବାକୁ ଯାଇ ଭାରତ, ଫ୍ରାନ୍ସ ଓ ବ୍ରିଟେନକୁ ଟକ୍କର ଦେଇଛି । ଏହା 2026ରେ ଜର୍ମାନୀକୁ ମାତ ଦେଇ ଚତୁର୍ଥ ଓ 2034 ସୁଦ୍ଧା ଜାପାନକୁ ପଛରେ ପକାଇ ତୃତୀୟ ସର୍ବବୃହତ୍ତ ଅର୍ଥବ୍ୟବସ୍ଥା ଆଡକୁ ଅଗ୍ରସର ହେବ ଭାରତ ।
ସିଇବିଆର ଅନୁସାରେ ଜାପାନ, ଜର୍ମାନୀ ଓ ଭାରତ ଆସନ୍ତା 15 ବର୍ଷରେ ତୃତୀୟ ସ୍ଥାନ ପାଇଁ ପ୍ରତିଯୋଗୀତା କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର 2024 ସୁଦ୍ଧା ଅର୍ଥବ୍ୟବସ୍ଥାକୁ 5 ଟ୍ରିଲିୟନ ଡଲାର ନେଇ ଲକ୍ଷ୍ୟ ରଖିଛି । ଏନେଇ ସିଇବିଆର ସକାରାତ୍ମକ ସଙ୍କେତ ଦେଇଛି ।
ତେବେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସରେ ଜିଡିପି 4.5%ରେ ପହଞ୍ଚିଛି। ଯାହାକି 6 ବର୍ଷର ସର୍ବନିମ୍ନ ସ୍ତର । ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ଏଭଳି ବ୍ୟତିକ୍ରମ ନିବେଶକଙ୍କ ଆଶଙ୍କା ବଢାଇଦେଇଛି । ଯେଉଁଥିପାଇଁ ଏବର୍ଷ ଅର୍ଥନୀତି ଧୀମା ନଜର ଆସିଛି ।