ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ 6 ମାସର ବ୍ରେକ ପରେ ଆସନ୍ତା ମାସ 9ରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ‘ହୁନର ହାଟ । ଏହାର ଥିମ‘ଲୋକାଲ ରୁ ଗ୍ଲୋବାଲ’ ହୋଇଥିଲା ବେଳେ ଏଥିରେ ସ୍ବଦେଶୀ ଖେଳନା ହେବ ଆକର୍ଷଣର କେନ୍ଦ୍ର ବିନ୍ଦୁ । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଏ ନେଇ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ‘ମନ କି ବାତ’ କାର୍ଯ୍ୟକ୍ରମରେ ସ୍ବଦେଶୀ ଖେଳନାକୁ ପ୍ରୋତ୍ସାହନ କରିବା ଆହ୍ବାନ ଭାରତରେ ସ୍ବଦେଶୀ ଖେଳନା ଉଦ୍ୟୋଗରେ ନୂଆ ଯୋଶ ଭରିଦେଇଛି ।
ଦେଶର ପ୍ରତ୍ୟେକ ଅଞ୍ଚଳ କାଠ, ପିତ୍ତଳ, ବାଉଁଶ, କାଚ, କପଡା, କାଗଜ, ମାଟି ଖେଳନାରେ ତିଆରି ଉତ୍ପାଦରେ ଭରପୂର ରହିଛି । ଆଉ ସେସସବୁର ବ୍ୟବହାର କରି ଚମତ୍କାର ସ୍ୱଦେଶୀ ଉତ୍ପାଦନକୁ ସୁଯୋଗ-ବଜାରମୁହାଁ କରିବା ପାଇଁ “ହୁନର ହାଟ” ଏକ ବଡ ପ୍ଲାଟଫର୍ମ ଦେବାକୁ ଯାଉଛି ।
ତେବେ ଏହି ହୁନର ହାଟରେ 30 ପ୍ରତିଶତରୁ ଅଧିକ ଷ୍ଟଲ ସ୍ବଦେଶୀ ଖେଳନା ତିଆରି କରୁଥିବା କାରିଗରଙ୍କ ପାଇଁ ରହିବ ବୋଲି ନକଭି କହିଛନ୍ତି । ସେହିପରି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସ୍ୱଦେଶୀ ଖେଳନାଗୁଡ଼ିକର ଆକର୍ଷଣୀୟ ପ୍ୟାକେଜିଂ ପାଇଁ କାରିଗରଙ୍କୁ ସାହାଯ୍ୟ କରାଯିବ ।
କୋରୋନା ସଙ୍କଟ ଯୋଗୁଁ ଗତ 6 ମାସ ଧରି ହୁନର ହାଟ ଆୟୋଜନ କରାଯାଇପାରିନାହିଁ । ହେଲେ ଏବେ ଅକ୍ଟୋବର 9ରୁ 18 ଯାଏଁ ଏହାକୁ ଆୟୋଜନ କରାଯିବ ।
ପ୍ରକାଶ ଯେ, ପୂର୍ବ ଥର ମାର୍ଚ୍ଚରେ ରାଞ୍ଚିରେ ଏହାକୁ ଆୟୋଜନ କରାଯାଇଥିଲା । ଏବେ ସୁଦ୍ଧା ହୋଇଥିବା ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କାରିଗର ବେପାର କରିବାର ସୁଯୋଗ ପାଇଛନ୍ତି । ଆଉ ସେମାନଙ୍କ ହସ୍ତକଳା ଓ କାରୁକାର୍ଯ୍ୟ ବହୁତ ଲୋକପ୍ରିୟ ମଧ୍ୟ ହୋଇଛି ।