ନୂଆଦିଲ୍ଲୀ: କୋରୋନା ଭାଇରସ ଓ ଲକଡାଉନ ଯୋଗୁଁ ପ୍ରବଳ ପରିମାଣରେ ହ୍ରାସ ହୋଇଛି ରୋଜଗାର ସଂଖ୍ୟା । ବେକାରୀ ବଢିବା ସହ ନୂଆ ନିଯୁକ୍ତି କମିଛି । ତେବେ ଲକଡାଉନ କୋହଳ ସହ କାରବାର କାର୍ଯ୍ୟକଳାପ ସ୍ବାଭାବିତ ହେବା ମଧ୍ୟରେ ଜୁଲାଇ ମାସରେ ନିଯୁକ୍ତି ଗତିବିଧି (Hiring activity) 5 ପ୍ରତିଶତ ବୃଦ୍ଧି ହୋଇଛି ।
ତେବେ ଗତ ବର୍ଷ ଜୁଲାଇ ମାସ ତୁଳନାର ଏ ବର୍ଷ ଏହି ଅବଧିରେ ନିଯୁକ୍ତି ଗତିବିଧି 47 ପ୍ରତିଶତ କମ ରହିଛି । ଏ ନେଇ ନୌକରୀ ଜବ ସ୍ପିକ ଇଣ୍ଡେକ୍ସ ପକ୍ଷରୁ ଜାରି କରାଯାଇଛି । ଏହି ରିପୋର୍ଟ ଅନୁସାରେ ମେ ମାସର ଜବ ସ୍ପିକ ଇଣ୍ଡେକ୍ସ 910 ରେ ରହିଥିବା ବେଳେ ଜୁନରେ ଏହା ବଢି 1208 ଓ ଜୁଲାଇ 1263 ରେ ପହଞ୍ଚିଛି ।
ବିଭିନ୍ନ ପ୍ଲାଣ୍ଟ , କାରଖାନା ଖୋଲିବା ସହ କାମ ପୁଣି ଆରମ୍ଭ ହୋଇଥିବାରୁ ଏହି ସୂଚକାଙ୍କ ଉପରମୁହାଁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । କିନ୍ତୁ କୋରୋନା ମାମଲା ବେକାବୁ ହେତୁ କିଛି ମେଟ୍ରୋ ସହରରେ ଲକଡାଉନ ଏବେ ବି ଜାରି ଅଛି । ଯେଉଁଥିପାଇଁ ମହାନଗରରେ ନିଯୁକ୍ତି ଗତିବିଧି ତଳମୁହାଁ ଅଛି ।
ନୌକରୀ.କମ ଅନୁସାରେ ମାସିକ ଆଧାରରେ ନିଯୁକ୍ତି ଗତିବିଧିରେ 37 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଅଟୋ , ଟେଲିକମ, ଆଇଟି, ହାର୍ଡୱେର ଭଳି ଇଣ୍ଡଷ୍ଟ୍ରିଜରେ ସାମାନ୍ୟ ସୁଧାର ହୋଇଛି ।